ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ରାଜନୀତିରେ ଅନ୍ୟତମ ଗୁରୁତ୍ୱପୂର୍ଣ ଜିଲ୍ଲା କୁହାଯାଉଥିବା କେନ୍ଦୁଝର ରାଜନୀତିରେ ଦେଖିବାକୁ ମିଳିଛି ଏକ ଅଜବ ସଂଯୋଗ | କେନ୍ଦୁଝରରୁ ଯାଇ ରାଜ୍ୟ ରାଜନୀତିରେ ନିଜର ଛାପ ଛାଡିଥିବା ଅନେକ ବଡ଼ ବଡ଼ ନେତା ଶିକ୍ଷକତା ବୃତ୍ତି ଛାଡି ରାଜନୀତିରେ ପ୍ରବେଶ କରିଛନ୍ତି | ଏକଦା ରାଜ୍ୟ ରାଜନୀତିର ପାୱାର ସେଣ୍ଟର କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହୁଅନ୍ତୁ କି ନିରଞ୍ଜନଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର | ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ହୁଅନ୍ତୁ କି ବର୍ତ୍ତମାନ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ମୋହନ ମାଝୀ, ଏ ସମସ୍ତେ ପ୍ରଥମେ ଶିକ୍ଷକତା ବୃତ୍ତିରେ ଥିବାବେଳେ ପରବର୍ତ୍ତୀ ସମୟରେ ରାଜନୀତିକୁ ଆସି ସଫଳ ହୋଇଛନ୍ତି |
କେନ୍ଦୁଝର ଜିଲ୍ଲାର ସବୁଠୁ ଚର୍ଚ୍ଚିତ ରାଜନେତା ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ। ସେ ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ। ଯୋଡ଼ା ବ୍ଲକ୍ ବନେଇକଳା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ ନିରଞ୍ଜନ । ଶିକ୍ଷକତା ଛାଡ଼ି ରାଜନୀତିକୁ ଆସିବା ପରେ ଯୁବ କଂଗ୍ରେସର ସଂଯୋଜକ, ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ, ଦୁଇଥର ସେଣ୍ଟ୍ରାଲ କୋଅପରଟେିଭ ବ୍ୟାଙ୍କର ସଭାପତି, ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି, ଚାରିଥର ବିଧାୟକ, କ୍ୟାବିନେଟ ମନ୍ତ୍ରୀ ଓ ଦୁଇଥର ପିସିସି ସଭାପତି ଦାୟିତ୍ବ ତୁଲାଇଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ଶିକ୍ଷକତା କରୁଥିଲେ। ଅଲ ଓଡ଼ିଶା ସେକେଣ୍ଡାରି ଟିଚର୍ସ ଫେଡେରେସନର ସାଧାରଣ ସମ୍ପାଦକ ଥିଲେ ଜୟଦେବ। ରାଜ୍ୟ ସ୍କାଉଟ ଓ ଗାଇଡର ମଧ୍ୟ ସେ ଉପସଭାପତି ଥିଲେ। ପରବର୍ତ୍ତୀ ସମୟରେ ସେ ଶିକ୍ଷକତା ଛାଡ଼ି ରାଜନୀତିରେ ଯୋଗଦେଥିଲେ। ରାଜନୀତିକୁ ଆସିବା ପରେ ସେ, ପ୍ରଦେଶ ଯୁବ କଂଗ୍ରେସ କମିଟିର ଉପସଭାପତି, ପିସିସି ସାଧାରଣ ସଂପାଦକ, ଉପସଭାପତି, ଏଆଇସିସିର ସଂପାଦକ, ଚାରିଥର ବିଧାୟକ, ମନ୍ତ୍ରୀ ଓ ପିସିସି ସଭାପତି ଦାୟିତ୍ବ ତୁଲାଇଛନ୍ତି।
ସେହିପରି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଘସିପୁରା ବିଧାୟକ ଥିବା ବଦ୍ରିନାରାୟଣ ପାତ୍ର ରାଜନୀତିକୁ ଆସିବା ପୂର୍ବରୁ ଅଧ୍ୟାପକ ଥିଲେ। ସେ ରେଢ଼ାଖୋଲ ମହାବିଦ୍ୟାଳୟ ଓ ଆନନ୍ଦପୁର ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ଅଧ୍ୟାପନା କରି ଚାକିରି ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ଥର ବିଧାୟକ ଓ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ। ସେହିପରି କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ଚରଣ ମାଝୀଙ୍କ ବୃତ୍ତିଗତ ଜୀବନ ମଧ୍ୟ ଶିକ୍ଷକତାରୁ ଆରମ୍ଭ ହୋଇଥିଲ। ସେ ଝୁମ୍ପୁରା ଶିଶୁମନ୍ଦିରରେ ଶିକ୍ଷକତା କରୁଥିଲେ। ଶିକ୍ଷକତା ଛାଡ଼ି ପ୍ରଥମେ ସେ ନିଜ ପଞ୍ଚାୟତ ରାଇକଳାର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ତିନିଥର ବିଧାୟକ ହେବା ସହ ବିରୋଧୀ ଦଳର ମୁଖ ସଚେତକ ଦାୟିତ୍ବ ତୁଲାଉଛନ୍ତି।
ତେବେ କେବଳ ଏତିକି ନୁହଁ କେନ୍ଦୁଝର ଜିଲ୍ଲାର ବହୁ ନେତା ଇଂଜିନିୟର ଚାକିରୀ ଛାଡି ମଧ୍ୟ ରାଜନୀତିକୁ ଆସିଛନ୍ତି | ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ତେଲକୋଇ ଥିବା ବିଧାୟକ ପ୍ରେମାନନ୍ଦ ନାୟକ, ପୂର୍ବତନ ସାଂସଦ ଅନନ୍ତ ନାୟକ ଓ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଇଞ୍ଜିନିୟର ଛାକିରି ଛାଡ଼ି ରାଜନୀତିରେ ପାଦ ଥାପି ନିଜ ପରିଚୟ ସୃଷ୍ଟି କରିଛନ୍ତି। ସେହିପରି ବର୍ତ୍ତମାନ ଆନନ୍ଦପୁର ବିଧାୟକ ଥିବା ଭାଗୀରଥି ସେଠୀ ମଧ୍ୟ ରାଜନୀତିକୁ ଆସିବା ପୂର୍ବରୁ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ଚାକିରି ଛାଡ଼ି ଦୁଇଥର ବିଧାୟକ ହୋଇଛନ୍ତି। ତେବେ ରାଜ୍ୟ ରାଜକୋଷକୁ ସବୁଠାରୁ ଅଧିକ ରାଜସ୍ବ ଦେଉଥିବା, ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ପ୍ରାୟ ସବୁ ବଡ଼ ନେତା ବେପାରୀ ନୁହଁ ବରଂ ଚାକିରୀରୁ ରାଜନୀତିକୁ ଆସିଛନ୍ତି | ଯାହା ଏକ ଅଜବ ସଂଯୋଗ ବୋଲି କୁହାଯାଉଛି |





