ଭୁବନେଶ୍ୱର,୩୧/୫(ସତ୍ୟପାଠ ବ୍ୟୁରୋ): ବାହା ବାହା ନେବାପାଇଁ ରାଜ୍ୟ ସରକାର ଧର୍ମକୁ ଆଖିଠାର ମାରି ନିକଟରେ ଯେଉଁ କେତୋଟି ମେଡିକାଲ କଲେଜ ହସ୍ପିଟାଲ ଖୋଲିଛନ୍ତି ସେଗୁଡିକର ବାସ୍ତବ ସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଦୟନୀୟ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବାରିପଦା ଠାରେ ପ୍ରତିଷ୍ଠିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ । ୨୦୧୯ ନିର୍ବାଚନ ପୂର୍ବରୁ ମୟୁରଭଞ୍ଜବାସୀଙ୍କ ଭୋଟ ଜିତିବା ପାଇଁ ରାଜ୍ୟ ସରକାର ୨୦୧୭ ମସିହାରେ ବାରିପଦାର ରଙ୍ଗମାଟିଆ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ଶୁଭ ଉଦଘାଟନ କଲେ । କିନ୍ତୁ ଦୁର୍ଭାଗ୍ୟର କଥା ସରକାର ବାହାରକୁ ଚକଚକ ଦେଖାଯାଉଥିବା ସୁଉଚ୍ଚ ବିଲଡିଂ ନିର୍ମାଣ କରିଦେଲେ ମାତ୍ର ମେଡିକାଲ କଲେଜ ଉଦଘାଟନ ହେବାର ପାଞ୍ଚ ବର୍ଷ ପୁରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଯେଉଁ ଜାଗାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି ସେ ଜାଗାରେ ହସ୍ପିଟାଲ ଆରମ୍ଭ ହୋଇପାରିଲା ନାହିଁ । ବାରିପଦା ଠାରେ ପୂର୍ବରୁ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହିଁ ମେଡିକାଲ କଲେଜର ହସ୍ପିଟାଲ ଚାଲିଛି । ଅର୍ଥାତ ରୋଗୀଙ୍କ ସେବା ପାଇଁ ନୂଆ ହସ୍ପିଟାଲ ଟିଏ ହୋଇପାରିଲା ନାହିଁ । କେବଳ ଲୋକଙ୍କୁ ଦେଖାଇବା ପାଇଁ ବିରାଟ ବଡ଼ ମେଡିକାଲ କଲେଜ ବିଲଡିଂ ଟିଏ ତିଆରି କରାଗଲା।
ଏହାଠାରୁ ଆହୁରି ଦୁର୍ଭାଗ୍ୟର କଥା ହେଉଛି ମେଡିକାଲ କଲେଜ ପରିସରରେ ଥିବା ହଷ୍ଟେଲ ଓ ଅନ୍ୟାନ୍ୟ ଆବାସିକ କ୍ୟାମ୍ପସ ଗୁଡିକରେ ସ୍ଥିତି ଆହୁରି ଦୟନୀୟ। ବାରିପଦା ଓଡ଼ିଶାର ସର୍ବାଧିକ ଉତପ୍ତ ସହର ଗୁଡିକ ମଧ୍ୟରୁ ଅନ୍ୟତମ। ହେଲେ ଏଠାରେ ଅବସ୍ଥିତ ମେଡିକାଲ କଲେଜରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଜୁଳି କାଟ ହେଉଥିବାର ଅଭିଯୋଗ ଆସିଛି। ଗତ ୩୦ ତାରିଖ ମଙ୍ଗଳବାର ଦିନ ମେଡିକାଲ କଲେଜ କ୍ୟାମ୍ପସରେ ଦିନ ପ୍ରାୟ ୩ଟା ରୁ ରାତି ୨ଟା ପର୍ଯ୍ୟନ୍ତ ପ୍ରାୟ ୧୧ ଘଣ୍ଟା ଧରି ବିଜୁଳି କାଟ ହୋଇଥିଲା । ଦୁର୍ଭାଗ୍ୟର କଥା ରାଜ୍ୟର ଏକ ମେଡିକାଲ କଲେଜ ଦୀର୍ଘ ୧୧ ଘଣ୍ଟା ଧରି ସମ୍ପୂର୍ଣ ଅନ୍ଧକାରରେ ରହିଲା କିନ୍ତୁ ବିଜୁଳିର କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ପାରିଲା ନାହିଁ ।
ପାୱାର କଟ ହେଲେ ବିକଳ୍ପ ବିଜୁଳି ବ୍ୟବସ୍ଥା ପାଇଁ ଯଦିଓ ଡିଜେଲ ଜେନ୍ ସେଟ୍ ଅଛି ମାତ୍ର କଲେଜର ପ୍ରିନ୍ସିପାଲ ଏହାକୁ ଚଲାଇବାର ବନ୍ଦୋବସ୍ଥ କଲେ ନାହିଁ ବୋଲି ଅଭିଯୋଗ ହୋଇଛି । ତେବେ ଏକଥା କେବଳ ଗତ ମଙ୍ଗଳବାରର ନୁହଁ ପ୍ରାୟ ସମୟରେ ଏଭଳି ବିଜୁଳି କାଟ୍ ହେଉଥିବା ବେଳେ ଡିଜେଲ ଜେନ୍ ସେଟ୍ ଦ୍ୱାରା ବିଜୁଳି ଦିଆଯାଉ ନାହିଁ ବୋଲି ଅଭିଯୋଗ ଆସିଛି । ଏହାର ମୁଖ୍ୟ କାରଣ ହେଉଛି ପ୍ରିନ୍ସିପାଲ ଥିବା ଡ଼. ରାମକୃଷ୍ଣ ସାହୁ ଡିଜେଲ ଜେନ୍ ସେଟ୍ ଚଳାଇବାକୁ ଅନୁମତି ଦେଉନାହାନ୍ତି। ଯାହା ଫଳରେ ପାୱାର କଟ୍ ସମୟରେ କ୍ୟାମ୍ପସରେ ରହୁଥିବା ଡାକ୍ତରୀ ଛାତ୍ର ଛାତ୍ରୀ ଓ ରେସିଡେଣ୍ଟ ଡାକ୍ତରମାନେ ଅସହ୍ୟ ଗରମ, ଗୁଳୁଗୁଳି ଓ ଅନ୍ଧକାର ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ ଆସିଛି ।କେବଳ ସେତିକି ନୁହେଁ ପ୍ରାୟ ସମୟରେ ହଷ୍ଟେଲ ଗୁଡିକରେ ଜଳ ଯୋଗାଣ ମଧ୍ୟ ବ୍ୟାହତ ହେଉଛି । ଯାହାଫଳରେ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ଗୋଟିଏ ପଟେ 5T ଓ ମୋ ସରକାର ରାଜ୍ୟର ମେଡିକାଲ କଲେଜ ଗୁଡିକୁ ବିଶ୍ୱସ୍ତରୀୟ ବୋଲି କହି ପ୍ରଚାର ପ୍ରସାର କରୁଥିବାବେଳେ ଅନ୍ୟପଟେ ମେଡିକାଲ କଲେଜରେ ସର୍ବନିମ୍ନ ସୁବିଧା ବିଜୁଳି ଓ ପାଣି ଯୋଗାଇବାରେ କତ୍ତୃପକ୍ଷ ବିଫଳ ହେଉଛନ୍ତି । ଏବାବଦରେ ବାରମ୍ବାର ପ୍ରିନ୍ସିପାଲ ଡ଼. ରାମକୃଷ୍ଣ ସାହୁଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଏହାର ସମାଧାନ ପାଇଁ କୌଣସି ଆଗ୍ରହ ଦେଖାଉନଥିବା ଅଭିଯୋଗ ହୋଇଛି ।





