ଅଭିନେତ୍ରୀ ଚାହତ ଖାନ୍ନାଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ଲିଗାଲ ନୋଟିସ ପଠାଇଇଲେ ସୁକେଶ ଚନ୍ଦ୍ରଶେଖର

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କା ଆଇନଗତ ନୋଟିସ ପଠାଇଛନ୍ତି। ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଚାହତଙ୍କ ଉପରେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଥିବା ଅଭିଯୋଗ ଲଗାଇଛନ୍ତି। ସୁକେଶଙ୍କ ଓକିଲ ଦାବି କରିଛନ୍ତି ନିକଟରେ ଏକ ସାକ୍ଷାତକାରରେ ଚାହତ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ଭୁଲ ବିବୃତ୍ତି ଦେଇଛନ୍ତି।କେବଳ ଏତିକି ନୁହେଁ, ଏପରିକି ସୁକେଶଙ୍କ ଓକିଲ କହିଛନ୍ତି ଯେ, ଚାହତଙ୍କ ବିବୃତ୍ତି ଯୋଗୁଁ ସୁକେଶଙ୍କ ପ୍ରତିଷ୍ଠା ଏବଂ ତାଙ୍କ ଭାବମୂର୍ତ୍ତି ଉପରେ ଗଭୀର ପ୍ରଭାବ ପଡିଛି।

ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ କହିଛନ୍ତି, ଯେଉଁ ମାମଲାରେ ସୁକେଶଙ୍କୁ ଅଭିଯୁକ୍ତ କରାଯାଇଛି ତାହା କୋର୍ଟରେ ବିଚାରାଧୀନ ଅଛି। ଯେପର୍ଯ୍ୟନ୍ତ ଅଭିଯୁକ୍ତ ଦୋଷୀ ପ୍ରମାଣିତ ନହୁଅନ୍ତି, ସେ ପର୍ଯ୍ୟନ୍ତ ସେହି ଅଭିଯୁକ୍ତଙ୍କ ବିରୋଧରେ କେହି ମନ୍ତବ୍ୟ ଦେଇ ପାରିବେ ନାହିଁ । ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିବା ଏବଂ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହତ ଏହି ସବୁ କରୁଛନ୍ତି।

ତେବେ ଆଇନଗତ ନୋଟିସ ପଠାଯାଇଛି ଚାହତ ଖାନ୍ନାଙ୍କୁ ସାତ ଦିନ ସମୟ ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ କହିଛନ୍ତି ଯେ ଚାହତ ଖାନ୍ନାଙ୍କୁ ସାତ ଦିନ ମଧ୍ୟରେ କ୍ଷମା ମାଗିବାକୁ ଏକ ବିବୃତ୍ତି ଦେବାକୁ ପଡ଼ିବ। ଯଦି ସେ ତାହା ନକରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜାକଲିନ ଫର୍ଣ୍ଣାଡିଜଙ୍କୁ ନେଇ ସୁକେଶ ବିବାଦୀୟ ଥିବା ବେଳେ ଟେଲି ଅଭିନେତ୍ରୀ ଚାହତ ଖାନ୍ନା ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ ।ଜେଲକୁ ଜୋରଜବରଦସ୍ତ ନେଇ ବିବାହ କରିବାକୁ ସୁକେଶ ତାଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଚାହତ। ଚାହତ କହିଛନ୍ତି, ମୋତେ ୨୦୧୮ରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ମୁଁ ପିଙ୍କି ଇରାନୀଙ୍କୁ ଭେଟିଥିଲି। ଏହାର କିଛି ଦିନ ପରେ ହଠାତ୍ ମୋତେ ଏକ ଅଜଣା ଗାଡ଼ି ଉଠାଇ ନେଇ ତିହାର ଜେଲ ପରିସରକୁ ଚାଲିଯାଇଥିଲା। ସେଠାରେ ମୋର ଦେଖା ହୋଇଥିଲା ସୁକେଶଙ୍କ ସହ। ସେ ନିଜକୁ ଏକ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଟିଭି ଚ୍ୟାନେଲର ମାଲିକ ତଥା ଜେ ଜୟଲଳିତାଙ୍କ ଭଣଜା ବୋଲି କହିଥିଲେ। ଏହା ସହ ନିର୍ବାଚନ ସମୟରେ ଇଭିଏମ୍ ଟାମ୍ପରିଂ ପାଇଁ ତାଙ୍କୁ ଗିରଫ କରାଯାଇଥିଲା ବୋଲି କହିଥିଲେ। କିଛି ସମୟର କଥାବାର୍ତ୍ତା ପରେ ସେ ମୋତେ ଆଣ୍ଠୁମାଡି ବିବାହ ପ୍ରସ୍ତାବ ଦେଇଥିଲେ। ମୁଁ ବିବାହିତ ଓ ମୋର ଦୁଇଟି ସନ୍ତାନ ଥିବା କହିବାରୁ ସେ ମୋ ଦୁଇ ସନ୍ତାନଙ୍କ ବାପା ହେବାକୁ ଚାହାନ୍ତି ବୋଲି କହିଥିଲେ।

ଚାହତଙ୍କ ଅନୁଯାୟୀ, ଏଭଳି ପ୍ରସ୍ତାବ ପାଇ ସେ କାନ୍ଦିବାରୁ ତାଙ୍କୁ ୨ଲକ୍ଷ ଟଙ୍କା ଶଗୁନ ଭାବେ ଦେଇ ମୁମ୍ବାଇ ବିମାନବନ୍ଦରରେ ଛାଡ଼ି ଦିଆଯାଇଥିଲା। ମୁମ୍ବାଇ ଆସିବା ପରେ ଚାହତଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା ସୁକେଶ। ତିହାର ଜେଲ ଆସି ଭେଟିଥିବାର ଭିଡିଓ ନିଉଜ ଚ୍ୟାନେଲକୁ ଦେଇଦେବି ବୋଲି କହି ଚାହତଙ୍କୁ ବ୍ଲାକମେଲ କରି ୧୦ଲକ୍ଷ ମାଗିଥିଲେ ସୁକେଶ। ଭିଡିଓ ଭାଇରାଲ ହୋଇଯିବା ଡରରେ ଚାହତ ସୁକେଶଙ୍କୁ ୧୦ଲକ୍ଷ ମଧ୍ୟ ଦେଇଥିଲେ ବୋଲି କହିଛନ୍ତି।

Related Posts