ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ଦିଆଯାଉଛି ତାଲିମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ସେ ରାଜନୈତିକ ଦଳମାନଙ୍କର ହେଉ କିମ୍ବା ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କର ହେଉ । ଏହା ମଧ୍ୟରେ ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ଆଗାମୀ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ୨୫ ଜଣ ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରିଙ୍କୁ ନିଯୁକ୍ତ କରାଯାଇଛି । ପୌରନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

ସେପଟେ ୧୦୬ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଓ ତିନୋଟି ମହାନଗର ନିଗମ ନିମନ୍ତେ ୨୪ ତାରିଖରେ ଭୋଟ ଗ୍ରହଣ ଓ ୨୬ ତାରିଖରେ ଭୋଟଗଣତି ହୋଇ ଫଳ ପ୍ରକାଶ ପାଇବାକୁ ଥିବାରୁ ସବୁ କାର୍ଯ୍ୟ ଯେପରି ବ୍ୟବସ୍ଥିତ ଢ଼ଙ୍ଗରେ ହେବ ସେନେଇ ତାଲିମ ଦିଆଯାଇଛି । ପୌର ନିର୍ବାଚନକୁ ସବୁ ଦିଗରୁ ସ୍ୱଚ୍ଛ, ମୁକ୍ତ ଓ ନିରାପଦ କରିବା ସହ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି । ଏଥର ଗୋଟିଏ ବୁଥରେ ଦୁଇଟି ଇଭିଏମ ରହିବ । ମତଦାତାମାନେ ପ୍ରଥମେ ମେୟର ଏବଂ ପରେ କାଉନସିଲରଙ୍କ ପାଇଁ ଭୋଟ ଦେବେ ।

Related Posts