ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନୀ ହିଂସା ମାମଲାରେ ସୁପ୍ରିମକୋର୍ଟ ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ବଡ ଝଟକା ଦେଇଛନ୍ତି | କଲିକତା ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କଲିକତା ହାଇକୋର୍ଟ ହିଂସାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଆଉ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବାବେଳେ ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଛନ୍ତି | ବାସ୍ତବରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଓକିଲ କହିଥିଲେ ଯେ ଜୁଲାଇ ୮ରେ ନିର୍ବାଚନ ହେବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଆଜି (ଜୁନ୍ ୨୦) ହେଉଛି ଶେଷ ତାରିଖ | ରାଜ୍ୟରେ ୧୮୯ଟି ସମ୍ବେଦନଶୀଳ ବୁଥ୍ ଅଛି | ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାପରେ ସୁପ୍ରିମକୋର୍ଟ କହିଥିଲେ ଯେ ୨୦୧୩ ଏବଂ ୨୦୧୮ ନିର୍ବାଚନରେ ହିଂସା ହେବାର ଏକ ପୁରୁଣା ଇତିହାସ ଥିବାରୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହିଂସା ପରିବେଶରେ ନିର୍ବାଚନ କରାଯାଇପାରିବ ନାହିଁ।
ନିର୍ବାଚନ ନିରପେକ୍ଷ ଏବଂ ମୁକ୍ତ ହେବା ଉଚିତ୍। ଯଦି ଲୋକଙ୍କର ନାମାଙ୍କନପତ୍ର ଦାଖଲ କରିବାର ସ୍ୱାଧୀନତା ନାହିଁ, ସେମାନଙ୍କୁ ହତ୍ୟା କରାଯାଉଛି, ତେବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠିଛି । ଏହା ସହ ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପାଖରେ ପୁଲିସ ଫୋର୍ସର ଅଭାବ ରହିଛି | ସେମାନେ ନିଜେ ସ୍ୱୀକାର କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ପୁଲିସ ଫୋର୍ସ ଆଣିବାର ବ୍ୟବସ୍ଥା କରିବେ | ଏହି କାରଣରୁ ହାଇକୋର୍ଟ ଅନ୍ୟ ରାଜ୍ୟରୁ ପୁଲିସ ଡାକିବା ପରିବର୍ତ୍ତେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ କହିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ | ଉଲ୍ଲେଖ ଥାଉ କି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଉପୁଜିଥିବା ହିଂସା ସ୍ଥିତିକୁ ଦେଖି ହାଇକୋର୍ଟ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ରାଜ୍ୟ ନିର୍ବାଚନ କମିସନ (ଏସ୍ଇସି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହାକୁ ବିରୋଧ କରି ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ |





