ଇଡିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍; ‘ଅଯଥାରେ ଭୟର ବାତାବରଣ ସୃଷ୍ଟି କରନାହିଁ’

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଇଡିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍। ଅଯଥାରେ ଭୟର ବାତାବରଣ ସୃଷ୍ଟି ନକରିବାକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ଛତିଶଗଡ଼ ସରକାରଙ୍କ ଏକ ଆବେଦନର ଶୁଣାଣି କରି ଇଡିକୁ ଏହି କଡ଼ା କଥା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ।

ତେବେ ଛତିଶଗଡ଼ର ଅବକାରୀ ଅଧିକାରୀଙ୍କୁ ଇଡି ତରଫରୁ ଧମକ ଦିଆଯାଉଥିବା ଓ ମଦ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଫସାଇବାର ଚକ୍ରାନ୍ତ ହେଉଛି ବୋଲି ସୁପ୍ରିମକୋର୍ଟକୁ ଜଣାଇଥିଲେ ଛତିଶଗଡ଼ ସରକାର। ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଯଥାରେ ଭୟର ବାତାବରଣ ସୃଷ୍ଟି କରାଗଲେ, ଭଲ କାମକୁ ମଧ୍ୟ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖିବେ । ମଦ ଦୁର୍ନୀତିର ତଦନ୍ତ ଆଳରେ ଇଡି ଧମକ ଚମକ ଦେଉଥିବାର ଅଭିଯୋଗ କରିଥିଲେ କିଛି ଅଧିକାରୀ।

ଇଡିର ଅଭିଯୋଗ ଅନୁସାରେ ମଦ ଦୁର୍ନୀତି ଯୋଗୁଁ ଛତିଶଗଡ଼ ସରକାରଙ୍କ ୨ ହଜାର କୋଟି ଟଙ୍କା କ୍ଷତି ହୋଇଛି । ଏହି ମାମଲାରେ ରାୟପୁର, ଭିଲାଇ, ମୁମ୍ବାଇ ଆଦି ସ୍ଥାନରେ ରେଡ୍ କରିଥିଲା ଇଡି। ଗତ ମାସରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଛତିଶଗଡ଼ ସରକାର।

ସେପଟେ କିଛି ଦିନ ତଳେ ସବୁ ବିରୋଧୀ ଦଳ ମଧ୍ୟ ଏକାଠି ହୋଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ କେନ୍ଦ୍ର ସରକାର ଇଡି, ସିବିଆଇ ପରି ସଂସ୍ଥାର ଦୁରୂପଯୋଗ କରି କେବଳ ବିରୋଧୀମାନଙ୍କୁ ଟାର୍ଗେଟ କରୁଛନ୍ତି।

Related Posts