(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସାଂସଦ ଏବଂ ବିଧାୟକମାନେ ଜଡ଼ିତ ମାମଲାଗୁଡ଼ିକର ଚାର୍ଜସିଟ୍ ଦାଖଲରେ ବିଳମ୍ବ ହେଉଥିବାରୁ ଭାରତର ପ୍ରଧାନ ବିଚାରପତି ଏନ୍. ଭି. ରମଣା ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଏବଂ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’କୁ (ସିବିଆଇ) ଏକ ମାମଲାର ଶୁଣାଣି ବେଳେ କଡା ଭର୍ତ୍ସନା କରିଛନ୍ତି। ସିଜେଆଇ କହିଛନ୍ତି ଯେ ଏହି ମାମଲା ଗୁଡ଼ିକ ୧୫-୨୦ ବର୍ଷ ଧରି ବିଚାରାଧୀନ ହୋଇ ପଡିଛି । ଏହି ଏଜେନ୍ସିଗୁଡ଼ିକ କିଛି କରୁନାହାଁନ୍ତି ।
ବିଶେଷକରି ଇଡି କେବଳ ସମ୍ପତ୍ତି ଜବତ କରୁଛି ଆଉ କିଛି କରୁ ନାହିଁ। ଏପରିକି ଅନେକ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲ କରାଯାଇ ନାହିଁ। ମାମଲାର ଚାର୍ଜସିଟ୍ ଦାଖଲ କରିବାରେବିଳମ୍ବ ହେବାର କାରଣ ମଧ୍ୟ ଦିଆଯାଇ ନାହିଁ। ଆଜିର ଏହି ଶୁଣାଣିରେ ସେ ଆହୁରି ମଧ୍ୟ କହିଲେ, ସାଂସଦ ଏବଂ ବିଧାୟକ ସଂଶ୍ଳୀଷ୍ଟ ଥାଇପଡ଼ି ରହିଥିବା ମାମଲାଗୁଡ଼ିକୁ ଅନୁଧ୍ୟାନ କରି ଆପଣାଛାଏଁ ମାମଲା ରୁଜୁ କରିବା ଲାଗି ପୂର୍ବ ଆଦେଶରେ ମଧ୍ୟ ଆମ୍ଭେ ଉଚ୍ଚ ନ୍ୟାୟାଳୟମାନଙ୍କୁ କହିଛୁ। ସିଜେଆଇ ଏନ୍ ଭି ରାମନା, ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
PMLA ଆକ୍ଟରେ ପୂର୍ବତନ ସାଂସଦଙ୍କ ସମେତ 51 ଜଣ ଅଭିଯୁକ୍ତ ସାଂସଦ ଅଛନ୍ତି। 51 ଟି ମାମଲା ମଧ୍ୟରୁ 28 ଟି ତଦନ୍ତ ଚାଲିଛି, 4 ଟି ମାମଲାର ବିଚାର ଚାଲିଛି। ଏହି ମାମଲା ଗୁଡ଼ିକ ଅତି କମରେ 10 ବର୍ଷ ପୁରୁଣା। ଏବଂ କେତେକ କ୍ଷେତ୍ରରେ ଏହି ମାମଲା ଗୁଡ଼ିକର ଅଯଥା ବିଳମ୍ବ ଘଟିଛି । କେତେକ କ୍ଷେତ୍ରରେ ମୋକଦ୍ଦମାର ସ୍ଥିତି ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । ବିଧାୟକଙ୍କ ବିରୋଧରେ ଥିବା ମାମଲା କ୍ଷେତ୍ରରେ ମଧ୍ୟ ସମାନ କଥା। ପ୍ରାୟ 70 ଟି ମାମଲାରୁ 40 ଟି ମାମଲା ଏବେ ବି ବିଚାରାଧୀନ ରହିଛି। ତେବେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମାମଲା ଗୁଡ଼ିକ ତୁରନ୍ତ ସମାଧାନ ହେବା ଉଚିତ୍। ଏହାର ଜବାବରେ CJI କହିଛନ୍ତି ଯେ ଏଭଳି କହିବା ସହଜ କଥା ଯେ ମାମଲାର ଖୁବ୍ ଶୀଘ୍ର ତଦନ୍ତ ହେବା ଉଚିତ୍, କିନ୍ତୁ କାମରେ ହେଉ ନାହିଁ ?
ତେବେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ବର୍ତ୍ତମାନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମାମଲାର ତଦନ୍ତ ଶେଷ କରିବାକୁ ଅନୁସନ୍ଧାନକାରୀ ସଂସ୍ଥା ଏକ ସମୟ ସୀମା ସ୍ଥିର କରିବା ଦରକାର। ଏହାଛଡ଼ା, କାର୍ଯ୍ୟଭାର ଅଧିକ ଥିବାରୁ ସେମାନେ କୌଣସି ପ୍ରକାର ମାନବ ସମ୍ବଳ ବା ଭିତ୍ତିଭୂମିଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି, ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ସୁପ୍ରିମ୍ କୋର୍ଟ ତାଙ୍କୁ କହିଛନ୍ତି।





