ଭୁବନେଶ୍ୱର,୬/୪ (ସତ୍ୟପାଠ ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଭଳି ସଂସ୍ଥାର ଅପବ୍ୟବହାର ଅଭିଯୋଗ ନେଇ ୧୪ଟି ବିରୋଧୀ ଦଳ ତରଫରୁ ଦାୟର ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଦେଇଛନ୍ତି । ଫଳରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ବଡ଼ ଝଟକା ଲାଗିଛି ।
ଏହି ଆବେଦନରେ କରାଯାଇଥିବା ଅଭିଯୋଗ ମୁତାବକ, ବିରୋଧୀ ନେତାମାନଙ୍କ ବିରୋଧରେ ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଗୁଡ଼ିକର ଅପବ୍ୟବହାର ହେଉଛି। ଏହା ବ୍ୟତୀତ ବିରୋଧୀ ଦଳମାନେ ଏକ ନୂଆ ସେଟ୍ ମଧ୍ୟ ଦାବି କରିଥିଲେ, ଯାହା ଅଧୀନରେ ଗିରଫଦାରୀ, ରିମାଣ୍ଡ ଏବଂ ଜାମିନକୁ ନିୟନ୍ତ୍ରଣ କରାଯାଇ ପାରିବ। କୋର୍ଟ ଏହି ଆବେଦନ ପାଇଁ ବିରୋଧୀ ଦଳମାନଙ୍କୁ ମଧ୍ୟ ତାଗିଦ କରିଛନ୍ତି। ନେତାଙ୍କ ପାଇଁ ସେମାନେ ଅଲଗା ନିୟମ କରି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ବିରୋଧୀଙ୍କ ତରଫରୁ ହାଜର ହୋଇ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ ଯେ, ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ୧୨୧ ଜଣ ରାଜନେତାଙ୍କ ବିରୋଧରେ ଇଡି ତଦନ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫% ବିରୋଧୀ ଦଳ ନେତା ଥିଲେ ।
ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଥିଲେ ଯେ, ଦେଶର ନେତାଙ୍କ ପାଇଁ ଅଲଗା ନିୟମ ହୋଇପାରିବ ନାହିଁ । ଏହା ଜଣେ କିମ୍ବା ଦୁଇ ଜଣ ପୀଡ଼ିତଙ୍କ ପିଟିସନ ନୁହେଁ, ଏହା ୧୪ଟି ରାଜନୈତିକ ଦଳର ଆବେଦନ। ତେଣୁ ଏହି ଆବେଦନର ଶୁଣାଣି କରିବା ସମ୍ଭବ ନୁହେଁ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ରେ ଦେଶର ୧୪ଟି ବିରୋଧୀ ଦଳ କେନ୍ଦ୍ରୀୟ ସଂସ୍ଥା ଗୁଡିକର ଅପବ୍ୟବହାର ରୋକିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜନତା ଦଳ ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ) ନ୍ୟାସନାଲ କନଫରେନ୍ସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସିପିଆଇ, ସିପିଏମ୍, ଡିଏମକେ ପକ୍ଷରୁ ଏହି ଆବେଦନ ହୋଇଥିଲା ।





