ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବର୍ଷ ଆରମ୍ଭରୁ ବଡ ଅଘଟଣ । କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା । ନିଶ୍ଚିନ୍ତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଏକ ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିବା ଖବର ରହିଛି । ଯେଉଁମାନଙ୍କ ମଧ୍ୟରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଜଣଙ୍କୁ କଟକ ବଡ ମେଡିକାଲକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମନୋରମା ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ବସ୍ ଭିତରେ ୪ ଜଣ ଫଶି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଗ୍ୟାସ୍ କଟର ଜରିଆରେ ବସକୁ କାଟି ଗୁରୁତରଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସ୍ଥାନୀୟ ଲୋକ ଦେବଦୂତ ସାଜି ସହଯୋଗ କରିଥିଲେ ଏବଂ ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ପରେ କଟକ-ଚାନ୍ଦବାଲି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡି ଅଟକିଥିବା ବେଳେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ସହାୟତାରେ ରାସ୍ତାକୁ ଫାଙ୍କା କରାଯାଇଛି । ଯାହାଫଳରେ ଗାଡି ମୋଟର ଚଳାଚଳ ପୁଣିଥରେ ସ୍ୱାଭାବିକ ହୋଇଛି ।





