ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ସୁରେଶ ଚନ୍ଦ୍ର ମହାପାତ୍ର। ଆଜି ରାଜଭବନରେ ଏହି ଉପଲକ୍ଷେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବନିଯୁକ୍ତ ଅଧ୍ୟକ୍ଷଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ପ୍ରାରମ୍ଭରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ରାଜ୍ୟପାଳଙ୍କ ନିଯୁକ୍ତିପତ୍ର ପାଠ କରିଥିଲେ।ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କିଶୋର ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚଢା ଓ ଆୟୋଗଙ୍କ ସଦସ୍ୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉତ୍ସବରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ସୁରେଶ ମହାପାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ଅର୍ଥାତ୍ ଫେବୃଆରୀ ୨୮ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ସେହିପରି ସୁରେଶ ମହାପାତ୍ରଙ୍କ ସ୍ଥାନରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି।

Related Posts