ଟି-୨୦ ବିଶ୍ୱକପ ୨୦୨୨: କିଛି ମିନିଟ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବିକ୍ରି

ନୂଆଦିଲ୍ଲୀ: ୧୬ ଅକ୍ଟୋବରରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୨ । ୨୩ ଅକ୍ଟୋବରରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ତେବେ ମ୍ୟାଚ୍ ଖେଳାହେବା ପୂର୍ବରୁ ଏବେଠୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମ୍ୟାଚକୁ ନେଇ ଟିକେଟ ବିକ୍ରି ଆରମ୍ଭ ହେବାର କିଛି ମିନିଟ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଆଇସିସିର ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ଆଇସିସି କହିଛି, ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇଛି। ଟିକେଟ୍‌ ବିକ୍ରୟ ଆରମ୍ଭ ହେବା ମାତ୍ରେ ଏହି ହାଇଭୋଲଟେଜ୍‌ ମ୍ୟାଚ ପାଇଁ ଷ୍ଟାଣ୍ଡିଂ ରୁମ ଟିକେଟ ମଧ୍ୟ କିଛି ମିନିଟ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇଥିବାର ଆଇସିସି ସୂଚନା ଦେଇଛି। ଭାରତ ଏବଂ ଗ୍ରୁପ ଏ ରନର୍‌ ଅପ ମଧ୍ୟରେ ସୁପର-୧୨ ରାଉଣ୍ଡ ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି।

Related Posts