ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଜସପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ସେହିପରି ଅତିରିକ୍ତ ଖେଳାଳି ଭାବେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି। ଆଜି ଏନେଇ ବିସିସିଆଇ ସଂପାଦକ ଜୟ ଶାହ ଏକ ବିବୃତି ଜାରି କରି ସୂଚନା ଦେଇଛନ୍ତି। ଆଜି ହିଁ ଏହି ୩ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଯିବେ।
ତେବେ ବିଶ୍ୱକପ ପୂର୍ବରୁ ଆହତ ହୋଇଥିବା ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିବାକୁ ବିସିସିଆଇ ପାଖରେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସମୟ ରହିଥିଲା। ଏହାର ଦିନକ ପୂର୍ବରୁ ବିସିସିଆଇ ବହୁ ବିଚାରବିମର୍ଶ ପରେ ଶାମିଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ଦେଇଛି। ସେହିପରି ଭଲ ଫର୍ମରେ ଥାଇ ମଧ୍ୟ ମହମ୍ମଦ ସିରାଜ ଅତିରିକ୍ତ ଖେଳାଳି ଭାବେ ବିଶ୍ୱକପ ଟିମ୍ରେ ରହିବେ।
ସିରାଜଙ୍କ ତୁଳନାରେ ଶାମିଙ୍କ ଅଭିଜ୍ଞତା ଅଧିକ। ମାତ୍ର ଶାମି ଫେବୃଆରୀ ମାସରୁ ଭାରତ ପାଇଁ ଟି-୨୦ କ୍ରିକେଟ ଖେଳି ନାହାନ୍ତି। ଏଥିସହ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୩ଟି ମ୍ୟାଚ୍ରେ ସେ ୫ଟି ୱିକେଟ ନେଇ ମ୍ୟାନ ଅଫ ଦି ସିରିଜ ହୋଇଥିଲେ। ତଥାପି ବିସିସିଆଇ ଅଷ୍ଟ୍ରେଲିଆରେ ଶାମିଙ୍କ ଅଭିଜ୍ଞତା କାମରେ ଆସିବ ବୋଲି ଆଶା କରି ତାଙ୍କୁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇଛି।ଶାର୍ଦ୍ଦୁଲ ଠାକୁର ଅଲରାଉଣ୍ଡର ଭାବେ ଷ୍ଟାଣ୍ଡବାଇରେ ରହିବେ। ସେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବଦଳ ଖେଳାଳି ଭାବେ ରହିବେ। ଏହାବାଦ ପୂର୍ବରୁ ଶ୍ରେୟସ ଆୟର ଓ ରବି ବିଷ୍ଣୋଇ ଏହି ଅତିରିକ୍ତ ଖେଳାଳି ତାଲିକାରେ ରହିଛନ୍ତି।





