ଟି-୨୦ ବିଶ୍ୱକପ; ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା ଇଂଲଣ୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି । ଆଜି ଗ୍ରୁପ-ଏ’ର ଅନ୍ତିମ ମ୍ୟାଚରେ ଇଂଲଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ପୂର୍ବରୁ ଏହି ଗ୍ରୁପରୁ ନ୍ୟୁଜିଲାଣ୍ଡ ୭ ପଏଣ୍ଟ ହାସଲ କରି ପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ପହଞ୍ଚି ସାରିଛି । ତେବେ ଆଜି ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ୱିତୀୟ ଟିମ୍ ଭାବେ ସେମିରେ ପହଞ୍ଚିଛି ।

ତେବେ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ଗ୍ରୁପ ପର୍ଯ୍ୟାୟରେ ୭ ପଏଣ୍ଟ ଲେଖାଏଁ ହାସଲ କରିଥିବା ବେଳେ ରନରେଟ ଦୃଷ୍ଟିରୁ ଆଗରେ ଥିବାରୁ ଇଂଲଣ୍ଡ ସେମି ଟକ୍କରରେ କଙ୍ଗାରୁ ବାହିନୀକୁ ମାତ୍ ଦେବାରେ ସକ୍ଷମ ହୋଇଛି ।

ତେବେ ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ୍ ହାସଲ କରିଥିଲା । ଦଳ ତରଫରୁ ପଥୁମ ନିସଙ୍କ ସର୍ବାଧିକ ୬୭ ରନ୍ ହାସଲ କରିଥିଲେ । ସେହିପରି କୁସଲ ମେଣ୍ଡିସ ୧୮ ଓ ବି. ରାଜପାକ୍ଷା ୨୨ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେନ୍ ଷ୍ଟୋକ୍ସ, କ୍ରିସ ଓକ୍ସ, ସାମ କରାନ ଓ ମଦିଲ ରଶିଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେପଟେ ଏହି ୧୪୨ ରନ ର ପିଛା କରୁଥିବା ଇଂଲଣ୍ଡ ଦଳ ୨ ଟି ବଲ ବାକି ଥାଇ ବିଜୟ ଲକ୍ଷ ହାସଲ କରିଛି। ଦଳ ପକ୍ଷରୁ ଆଲେକ୍ସ ହେଲ୍ସ ସର୍ବାଧିକ ୪୭ ରନ୍ ଓ ବେନ୍ ଷ୍ଟୋକ୍ସ ୪୨ ରନ୍ କରିଥିଲେ।

Related Posts