ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଦ.ଆଫ୍ରିକା ମୁକାବିଲା

ପର୍ଥ : ଆରମ୍ଭ ହୋଇଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଥିବା ବେଳେ, ସୁପର-୧୨ ରାଉଣ୍ଡରେ ଦଳ ତା’ର ତୃତୀୟ ମ୍ୟାଚ୍‌ରେ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଯଦି ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୁଏ ତେବେ ଭାରତ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିବା ସହ ସେମି ଫାଇନାଲ ପାଇଁ ନିଜର ସ୍ଥିତି ମଜବୁତ କରିବ ।

ତେବେ ଏହି ଗ୍ରୁପ୍‌ରେ ରବିବାର ଆଉ ୨ଟି ମ୍ୟାଚ୍‌ ଖେଳାଯିବ । ବ୍ରିସବେନରେ ବାଂଲାଦେଶକୁ ଜିମ୍ବାୱେ ଭେଟିବ ଏବଂ ପର୍ଥରେ ନେଦରଲାଣ୍ଡସ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଭାରତ, ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ଶୀର୍ଷ ସ୍ଥାନ ପାଇ ଲଢ଼େଇ ହେବ । ଭାରତ ୨ଟି ମ୍ୟାଚ୍‌ ଜିତି ୪ ପଏଣ୍ଟ ପାଇଛି । ସେହିପରି ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ୨ଟି ମ୍ୟାଚ୍‌ରୁ ୩ ପଏଣ୍ଟ ଲେଖାଏଁ ପାଇଛନ୍ତି ।

ତେବେ ପୂର୍ବ ରେକର୍ଡ ଅନୁସାରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଆସିଛି । ବିଶ୍ୱକପ୍‌ରେ ଦୁଇ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି । ସେଥିରୁ ଭାରତ ୪ଟିରେ ବିଜୟୀ ହୋଇଛନ୍ତି । ୨୦୧୦, ୨୦୧୨ ଓ ୨୦୧୪ ସଂସ୍କରଣରେ ଭାରତ କ୍ରମାନ୍ୱୟରେ ସବୁ ମ୍ୟାଚ୍‌ ଜିତିଛି ।

ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ବିଜୟ ହାରରେ ମଧ୍ୟ ଭାରତ ଆଗରେ ରହିଛି । ସେହିଅନୁସାରେ ଆଜିର ମ୍ୟାଚ୍‌ରେ ଭାରତ ବିଜୟ ପାଇଁ ଦାବିଦାର ରହିଛି । ଏମିତିରେ ବି ବିରାଟ କୋହଲି ଯେମିତି ଫର୍ମରେ ରହିଛନ୍ତି, ତାହା ଅନ୍ୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବ ଦୁଇଟି ମ୍ୟାଚ୍‌ରେ ଭାରତର ପ୍ରଦର୍ଶନ ଭଲ ରହିଛି । ତେଣୁ ଆଜିର ମ୍ୟାଚ୍‌ରେ ଦଳରେ ସେମିତି ବିଶେଷ କିଛି ପରିବର୍ତ୍ତନ ଆଶା କରାଯାଉ ନାହିଁ ।

Related Posts