ଟି-୨୦ ବିଶ୍ବକପ; ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ସୁପର-୧୨ର ଏକ ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏଥିସହିତ ଚଳିତ ବିଶ୍ଵକପରେ ୨ଟି ମ୍ୟାଚ୍ ଖେଳି ଅପରଜୟ ରହିଛି ଭାରତ। ପ୍ରଥମ ମ୍ୟାଚ ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ କୁ ହରାଇବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡକୁ ପରାସ୍ତ କରିଛି।

ଆଜିର ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ କରିଥିଲା । ଆଜିର ମ୍ୟାଚରେ ପୁଣିଥରେ ବିଫଳ ହୋଇଥିଲେ ଓପନର କେଏଲ ରାହୁଲ । ସେ ମାତ୍ର ୯ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଲଢୁଆ ସ୍କୋର ପ୍ରଦାନ କରିଥିଲେ । ପାକିସ୍ତାନ ମ୍ୟାଚ ପରେ କୋହଲି ପୁଣି ଥରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୬୨ ରନ କରିଥିଲେ । ରୋହିତ ୫୩ରନ ଓ ସୂର୍ଯ୍ୟ ପ୍ରଭାବଶାଳୀ ୫୧ରନ କରିଥିଲେ ।

ଅନ୍ୟପକ୍ଷରେ ୧୮୦ରନର ଲକ୍ଷ୍ୟ ନେଇ ଖେଳୁଥିବା ନେଦରଲାଣ୍ଡସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ଟିମ୍ ପିଙ୍ଗଲ ସର୍ବାଧିକ ୨୦ ରନ କରିଥିଲେ । ମାର୍କ ଓଡଉଡ ଓ ବାସ୍ ଡି ଲିଡ୍ ୧୬ ରନ ଲେଖାଏଁ କରିଥିଲେ । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୩ ରନ କରିପାରିଥିଲା ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଅର୍ସଦୀପ ସିଂ, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Related Posts