ଟି-୨୦ ମୁକାବିଲା: ଆଜିଠାରୁ ବାରବାଟୀରେ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟୀରେ ଷ୍ଟାଡିୟମ୍ ରେ ଖେଳ ହେବ ଟି 20 । ଛକା ଚୌକାର ହେବ ବର୍ଷା । ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏଥିପାଇଁ ଆଜିଠାରୁ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ମଙ୍ଗଳବାର କେବଳ ଓସିଏ ଅନୁବନ୍ଧିତ ଜିଲ୍ଲା କ୍ରୀଡ଼ା ସଂଘ, ସ୍କୁଲ୍, କଲେଜ, କ୍ଲବ ସଦସ୍ୟଙ୍କୁ ଟିକେଟ୍‌ ବିକ୍ରି ହୋଇଛି ।

ସାଧରଣ ଲୋକଙ୍କ ପାଇଁ ଜୁନ୍‌ ୯ ଓ ୧୦ ତାରିଖ ଟିକେଟ ବିକ୍ରି ହେବ । ଆଜି(ମଙ୍ଗଳବାର) ଓସିଏ କାର୍ଯ୍ୟାଳୟକୁ ଆସି ଟିକେଟ କିଣିଛନ୍ତି ଓସିଏ ଅନୁବନ୍ଧିତ ଜିଲ୍ଲା କ୍ରୀଡ଼ା ସଂଘ, ସ୍କୁଲ୍, କଲେଜ, କ୍ଲବ ସଦସ୍ୟ । ସେମାନଙ୍କ ପାଇଁ ମୋଟ ୮ ହଜାର ଟିକେଟ ବିକ୍ରି କରାଯିବ । ଏହାପୂର୍ବରୁ ଅନ୍‌ଲାଇନ୍‌ରେ ୫ ହଜାର ଟିକେଟ ବିକ୍ରି ଶେଷ ହୋଇଛି ।ମାତ୍ର ୩୦ ମିନିଟ୍‌ ମଧ୍ୟରେ ସମସ୍ତ ଅନଲାଇନ୍‌ ଟିକେଟ ବିକ୍ରି ହୋଇଥିଲ । ସାଧାରଣ ଲୋକଙ୍କ ପାଇଁ ଅଫଲାଇନ୍‌ ଟିକେଟ ବିକ୍ରି ଜୁନ୍‌ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁଚାରୁ ରୂପେ ଟିକେଟ ବିକ୍ରି ପାଇଁ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସେପଟେ ମ୍ୟାଚ୍‌ ବେଳକୁ ରାଜ୍ୟକୁ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଦାଉ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ବାରବାଟୀକୁ ଆସିଛି ହୋଭର କଭର । ତାସହିତ ଆଉଟ୍‌ ଫିଲ୍ଡ ଘୋଡ଼ାଇବା ପାଇଁ ଗ୍ରାଉଣ୍ଡ କଭର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଓସିଏ ୨ କୋଟି ଟଙ୍କା ଖର୍ଚ୍ଚ କରିଛି । ମଙ୍ଗଳବାର ପରୀକ୍ଷା ମୂଳକ ଭାବରେ ଆଉଟଫିଲ୍‌ଡରେ ଗ୍ରାଉଣ୍ଡ କଭର ଘୋଡ଼ା ଯାଇଥିଲା । ଏହି କଭର ଦ୍ବାରା ବର୍ଷା ଯୋଗୁଁ ଗ୍ରାଉଣ୍ଡକୁ କୌଣସି କ୍ଷତି ହେବନ ବୋଲି କହିଛନ୍ତି ମୁଖ୍ୟ ପିଚ୍‌ କ୍ୟୁରେଟର ।ଟି-୨୦ ମ୍ୟାଚ୍‌ ପାଇଁ ସଜେଇ ହୋଇ ପ୍ରସ୍ତୁତ ରହିଛି ବାରବାଟୀ ଷ୍ଟାଡିୟମ । ଜୁନ୍‌ ୧୨ ତାରିଖରେ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ । ବାରବାଟୀ ମ୍ୟାଚ୍‌ ପରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ ଯଥାକ୍ରମେ ବିଶାଖାପାଟନମ୍‌, ରାଜକୋଟ ଓ ବେଙ୍ଗାଲୁରୁରେ ଖେଳାଯିବ । ଜୁନ୍‌ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହୋଇ ଜୁନ୍‌ ୧୯ ତାରିଖରେ ଶେଷ ହେବ ।

Related Posts