ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): କୋରାପୁଟ ଜିଲ୍ଲା କଂଗ୍ରେସରେ ସୃଷ୍ଟି ହୋଇଥିବା ନେତୃତ୍ୱ କନ୍ଦଳର ଆରପାର ଲଢେଇ ପାଇଁ ଜିଲ୍ଲାର ପ୍ରଭାବୀ ନେତା ତାରା ପ୍ରସାଦ ବାହିନୀପତି ଓରଫ ଭାଲୁ ଭାଇନା ଏବେ ନିଜର ଚେଲା ଚାମୁଣ୍ଡାଙ୍କ ସହ ଦିଲ୍ଲୀର AICC କାର୍ଯ୍ୟାଳୟରେ କ୍ୟାମ୍ପ ପକାଇଛନ୍ତି | ତାରାଙ୍କ ଏହି ଦିଲ୍ଲୀ ଗସ୍ତକୁ ମିଡ଼ିଆ ଯେତେ ଗୁରୁତ୍ୱର ସହ ନେଉ ବା ନନେଉ କୋରାପୁଟ ର ସାଂସଦ ସପ୍ତଗିରି ଉଲାକା ଓ ପିସିସି ସଭାପତି ଶରତ ପଟ୍ଟନାୟକ କିନ୍ତୁ ତାରାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ଚାପରେ | କୋରାପୁଟ ଜିଲ୍ଲା ସଭାପତି ପରିବର୍ତ୍ତନ କୁ କୋରାପୁଟର ସାଂସଦ ସପ୍ତଗିରି ଉଲାକା ଓ ତାରା ବାହିନୀପତିଙ୍କ ମଧ୍ୟରେ ପତିଆରା ଲଢେଇର ଫଳ ବୋଲି କୁହାଯାଉଛି |
ସମସ୍ତେ ଆଶା କରୁଥିଲେ ଯେ ତାରା ବାହିନୀପତିଙ୍କ ପତ୍ନୀ ତଥା କୋରାପୁଟର ପୂର୍ବତନ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ସଭାପତି ପଦରୁ କାଢ଼ିଦେଲେ ସେଭଳି କିଛି ଅସୁବିଧା ହେବନାହିଁ | କିନ୍ତୁ ତାରାଙ୍କ ଦିଲ୍ଲୀ ଗସ୍ତ ପରେ ଏବେ ଲାଗୁଛି ଶରତ ଓ ସପ୍ତଗିରିଙ୍କ ଗଣିତ ଓଲଟା ହେବାକୁ ଯାଉଛି | ଯଦିଓ ତାରା ଏବିଷୟରେ ସ୍ପଷ୍ଟ ଭାବରେ କହୁ ନାହାନ୍ତି କିନ୍ତୁ ତାରାଙ୍କ ଘନିଷ୍ଠ ସହଯୋଗୀଙ୍କ କହିବା କଥା ଯେ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରୁ ବାହାର କରିବାର ଅପମାନକୁ ଭୁଲି ପାରୁନାହାନ୍ତି ଭାଲୁ ଭାଇନା | ଏବେ ଭାଲୁଙ୍କ ପ୍ରତିଜ୍ଞା ଯେ ଭୁବନେଶ୍ୱରରେ ନହେଲେ ବି ଦିଲ୍ଲୀରେ ପତ୍ନୀଙ୍କ ଅପମାନର ଜୋରଦାର ପ୍ରତିଶୋଧ ନେବେ |
ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ତାରା ପ୍ରସାଦ ବାହିନୀପତି ଦିଲ୍ଲୀରେ AICC ର ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଭେଟିବା ବେଳେ ଯେଉଁ ସବୁ ତଥ୍ୟ ଦେଇଛନ୍ତି ତାହା ଏବେ ସପ୍ତଗିରି ଉଲାକାଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି | ସପ୍ତଗିରି ତାଙ୍କର ଦିଲ୍ଲୀ ଲବି ଦେଖାଇ ମିନାକ୍ଷୀ ବାହିନୀପତିଙ୍କୁ ସାଇଡ ମାରିଥିଲେ କିନ୍ତୁ ତାରା ଏବେ ଯେଉଁ ତଥ୍ୟ ସହ ଯୁକ୍ତି ବାଢ଼ିଛନ୍ତି ତାହା ଉଭୟ ଶରଦ ଓ ଉଲାକାଙ୍କ ପାଇଁ କାଳ ହେବ | ତାରା ବେଣୁଗୋପାଳଙ୍କୁ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ କୋରାପୁଟ ଲାକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଣୁପୁର, ରାୟଗଡା ଏବଂ ବିଷମକଟକରେ କଂଗ୍ରେସର ସାଂସଦ ସପ୍ତଗିରି ଉଲାକା 2500 ଭୋଟରେ ପଛୁଆ ଥିଲେ ମାତ୍ର କୋରାପୁଟରେ ତାଙ୍କୁ 5000 ଭୋଟ ଅଧିକ ମିଳିଥିଲା | ଅର୍ଥାତ କୋରାପୁଟ ଭୋଟ ପାଇଁ ସେ ସାଂସଦ ଭାବରେ ବିଜୟ ହୋଇଥିଲେ | ଖାଲି ସେତିକି ନୁହଁ ଏପର୍ଯ୍ୟନ୍ତ ରାୟଗଡା ଜିଲ୍ଲାର 12 ଟି ଜିଲ୍ଲା ପରିଷଦ ଆସନ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧକ୍ଷ ପଦ କଂଗ୍ରେସ ହାତରେ ରହି ଆସୁଥିଲା ହେଲେ ଗତ ପଂଚାୟତ ନିର୍ବାଚନରେ ଏଥିରୁ 6ଟି ଆସନ କମିଗଲା ଆଉ ଜିଲ୍ଲା ପରିଷଦ ଅଧକ୍ଷ ପଦଟି ବିଜୁ ଜନତା ଦଳ ହାତକୁ ପଳାଇଲା | ତେଣୁ ତାରାଙ୍କ କହିବା କଥା କୋରାପୁଟ ଜିଲ୍ଲା କଂଗ୍ରେସ ଭଲ କାମ କରିବା ସତ୍ୱେ ମିନାକ୍ଷୀ ବାହିନୀ ପତିଙ୍କୁ ତରବରିଆ ଭାବରେ ହଟାଇ ଦିଆଗଲା କିନ୍ତୁ ରାୟଗଡାରେ ଦଳର ପରାଜୟ ପରେ ବି ସେଠାରେ ଜିଲ୍ଲା ସଭାପତି ପରିବର୍ତ୍ତନ କରାଗଲା ନାହିଁ | ଖାଲି ସେତିକି ନୁହଁ ତାରା କହିଛନ୍ତି ଯେ ଗତ ପଂଚାୟତ ନିର୍ବାଚନ କୋରାପୁଟରେ ମିନାକ୍ଷୀ ବାହିନୀ ପତିଙ୍କ ନେତୃତ୍ୱରେ ଲଢା ଯାଇଥିଲା | ଆଉ ଏଥିରେ ପ୍ରଦର୍ଶନ ଖୁବ ଭଲ ହୋଇଛି | କେବଳ ଏତିକି ନୁହଁ ଗତ ପଂଚାୟତ ନିର୍ବାଚନରେ ପୁରା ଓଡ଼ିଶାରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ଥିବାବେଳେ କେବଳ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା | କୋରାପୁଟ ରେ ବିଜେଡି ତାର ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିବା ସତ୍ୱେ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଥିଲା | ଏତେ ସବୁ କରିବା ପରେ କାହିଁକି ତାଙ୍କୁ ପଦରୁ ହଟାଗଲା ବୋଲି ଭାଲୁ ପ୍ରଶ୍ନ କରିଛନ୍ତି |
ଆଉ ତାରାଙ୍କ ଏହି କଥା ଶୁଣିବା ପରେ ବେଣୁଗୋପାଳଙ୍କ ଅକଲ କୁଆଡେ ଗୁଡ଼ୁମ ହୋଇଯାଇଛି | କାରଣ ସପ୍ତଗିରି ଉଲାକା କି ପିସିସି ସଭାପତି ଶରତ ପଟ୍ଟନାୟକ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସର ଭଲ ପ୍ରଦର୍ଶନର ରିପୋର୍ଟ କୁଆଡେ ବେଣୁଗୋପାଳଙ୍କୁ ଦେଇ ନଥିଲେ | ଏହାକୁ ନେଇ ବେଣୁଗୋପାଳ, ଶରତ ଓ ସପ୍ତଗିରିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି | ଯଦି ଏହା ସତ ହୋଇଥାଏ ତାହେଲେ ଏବେ ଭାଲୁ ଙ୍କ ଆକ୍ରମଣରେ ଉଲାକା ଓ ଶରତ ଗୁରୁତର ଆହତ ହେବା ଥୟ |





