ଅରିନ୍ଦମ-ଅଶ୍ୱିନୀ ଭେଟଘାଟକୁ ନେଇ ଚର୍ଚ୍ଚା; ବିଜେଡିରେ କମୁଛି ବବିଙ୍କ ପ୍ରଭାବ!

ଭୁବନେଶ୍ୱର,8/1 (ସତ୍ୟପାଠ ବ୍ୟୁରୋ): ବିଜୁ ଜନତା ଦଳର ସାଧାରଣ ସମ୍ପାଦକ, ଦଳର ଷ୍ଟାର ପ୍ରଚାରକ ତଥା ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଅଭିନେତା ଅରିନ୍ଦମ ରାୟ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା | ତେବେ ଶନିବାର କଟକରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଆଗ ଧାଡିରେ ବସିଥିବା ଅରିନ୍ଦମ ହଠାତ ରବିବାର ଅଶ୍ବିନୀ ବୈଷ୍ଣବଙ୍କୁ ଧବଳେଶ୍ୱର ଡ଼ାକବଙ୍ଗଳାରେ ସାକ୍ଷାତ କରିବା, ଏପରିକି ଦୁହିଁଙ୍କ ମଧ୍ୟରେ ପାଖାପାଖି 30 ମିନିଟ ଧରି ରୂଦ୍ଧଦ୍ବାର ବୈଠକ ହେବା ପରେ ଏବେ କଟକ ଜିଲ୍ଲା ରାଜନୀତି ସରଗରମ ହୋଇଛି |

ଗତ 2019 ନିର୍ବାଚନରେ ଅରିନ୍ଦମ କଟକ-ବାରବାଟୀ ଆସନରୁ ବିଧାୟକ ଭାବେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା ହେଲେ ତାଙ୍କୁ ଟିକେଟ ମିଳିନଥିଲା | ପରେ ସେ ଲୋକସଭା ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଲା, ହେଲେ ଏମପି ଟିକେଟ ମଧ୍ୟ ତାଙ୍କୁ ମିଳିଲା ନାହିଁ | ଏପରିକି ଗତ ପୌର ନିର୍ବାଚନ ସମୟରେ ଅରିନ୍ଦମ କଟକ ମେୟର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚାରେ ଥିଲେ | ଆଉ ସେତେବେଳେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା | ଏବେ ଆଗକୁ 2024 ନିର୍ବାଚନ ଥିବା ବେଳେ ଏବେ ଆଉ ତାଙ୍କୁ କୌଣସି ସ୍ଥାନରୁ ଟିକେଟ ମିଳିବାର ସମ୍ଭାବନା ମଧ୍ୟ ନାହିଁ | ତେଣୁ ବାରମ୍ବାର ଚର୍ଚ୍ଚା ସତ୍ୱେ ଟିକେଟ ନ ମିଳିବାରୁ ଅରିନ୍ଦମ ବିଜେଡିରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି |

ତେବେ ଅରିନ୍ଦମ ହେଉଛନ୍ତି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ | ସେଥିପାଇଁ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ ସାଧାରଣ ସମ୍ପାଦକ ପଦ ସହ ବିଭିନ୍ନ ନିର୍ବାଚନ ସମୟରେ ଷ୍ଟାର ପ୍ରଚାରକ ମଧ୍ୟ କରାଯାଏ | ଆଉ ବବି ଦାସ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କର ଉତ୍ତରାଧିକାରୀ ବୋଲାଉଥିବା ପାଣ୍ଡିଆନଙ୍କ ଅତି ନିକଟତର ବୋଲି ମଧ୍ୟ କୁହାଯାଏ | ହେଲେ ଏବେ ଦଳରେ ତାଙ୍କର ଆଉ ସେତେଟା କାଟତି ନାହିଁ ବୋଲି ଚର୍ଚ୍ଚା ହେଉଛି | ଆଉ ଏହାକୁ ଅଧିକ ଖୋରାକ ଯୋଗାଉଛି ଅଶ୍ୱିନୀ ବୈଷ୍ଣବଙ୍କ ସହ ବବିଙ୍କ ଭିଣୋଇ ଅରିନ୍ଦମଙ୍କ ରୁଦ୍ଧଦ୍ବାର ବୈଠକ | ପୂର୍ବରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି ବିଜେଡି ଟିକେଟ ରେ ନିର୍ବାଚନ ଲଢ଼ି ଜିତିଥିବା ବେଳେ ଅରିନ୍ଦମଙ୍କୁ ଟିକେଟ ଟିଏ ମିଳିଲା ନାହିଁ | ଆଉ 2024 ନିର୍ବାଚନରେ ମଧ୍ୟ ମିଳିବାର ସମ୍ଭାବନା ସେତେଟା ନାହିଁ | ତେଣୁ ଏବେ ଅରିନ୍ଦମ ବିଜେଡ଼ିକୁ ସାଇଡ ମାରିଥିବା କୁହାଯାଉଛି | ଏପରିକି ଏବେ ବିଜେଡିରେ ବବିଙ୍କ ହାଲ ଯେ ବେହାଲ ତାହା ଭିଣୋଇ ଅରିନ୍ଦମ ସୂଚାଇ ଦେଇଥିବା କୁହାଯାଉଛି |

Related Posts