ରାହୁଲଙ୍କ ଲାଦାଖ ଟୁର୍‌କୁ୍‌ ରିଜିଜୁଙ୍କ ପଶଂସାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲଦାଖ ଟୁରକୁ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କ ପ୍ରଶଂସାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା | ଲଦାଖରେ ରାହୁଲଙ୍କ ବାଇକ ଚଳାଇବାକୁ ରିଜିଜୁ ଟ୍ୱିଟ କରି ପ୍ରଶଂସା କରିଛନ୍ତି | ତେବେ ସବୁବେଳେ ରାହୁଲଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କଡା ସମାଲୋଚନା କରୁଥିବା ରିଜିଜୁ ଏଥର ପ୍ରଶଂସା କରି ଭିନ୍ନ ଅନ୍ଦାଜରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି |

ସେ ଟ୍ୱିଟ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଦ୍ୱାରା ନିର୍ମିତ ଲଦାଖର ସୁନ୍ଦର ରାସ୍ତାକୁ ରାହୁଲ ପ୍ରମୋଟ କରୁଥିବାରୁ ତାଙ୍କୁ ଧନ୍ୟବାଦ | କାଶ୍ମୀର ଉପତ୍ୟକାରେ ବୃଦ୍ଧି ପାଉଥିବା ପର୍ଯ୍ୟଟନକୁ ନିଜ ଲଦାଖ ଗସ୍ତ ସମୟରେ ରାହୁଲ ସାମ୍ନାକୁ ଆଣିଥିବା ରିଜିଜୁ କହିଛନ୍ତି | ଏହାସହିତ ସେ ଏକ ଭିଡିଓ ମଧ୍ୟ ଟ୍ୱିଟ କରିଛନ୍ତି | ଯେଉଁଥିରେ ସେ 2012 ମସିହାରେ କଂଗ୍ରେସ ସରକାର ସମୟରେ ଥିବା ଲଦାଖର ରାସ୍ତା ଓ ବର୍ତ୍ତମାନ ବିଜେପି ସରକାର ସମୟରେ ରାହୁଲ ବାଇକ ଚଳାଉଥିବା ରାସ୍ତାକୁ ଦେଖାଇ, ପୂର୍ବ ସରକାର ଓ ଏବେର ସରକାରଙ୍କ ସମୟରେ ଲଦାଖର ପାର୍ଥକ୍ୟ ଦର୍ଶାଇଛନ୍ତି |

ତେବେ ଜମ୍ମୁକାଶ୍ମୀର 2ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବାପରେ, ପ୍ରଥମ ଥର ପାଇଁ ଲଦାଖ ଗସ୍ତରେ ଥିବା ରାହୁଲ ଗତକାଲି ଭିନ୍ନ ଅନ୍ଦାଜ ରେ ନଜର ଆସିଥିଲେ | ପ୍ରଫେସନାଲ ବାଇକର ଗେଟଅଫ ରେ ସେ ଲଦାଖର ପାଙ୍ଗୋଙ୍ଗ ହ୍ରଦକୁ ବାଇକ ଚଳାଇ ଯାଇଥିଲେ | ଆଉ ଏହି ସମୟର ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | କଂଗ୍ରେସ ନେତାମାନେ ଏହାକୁ ପ୍ରଶଂସା କରୁଥିବାବେଳେ ବିଜେପି ନେତାମାନେ ରାହୁଲଙ୍କୁ ସମାଲୋଚନା କରୁଛନ୍ତି | ଜାମ୍ମୁ କାଶ୍ମିରରୁ ଧାରା 370 ହଟିବା ଫଳରେ ଏବେ ସେଠାରେ ବିକାଶ ସମ୍ଭବ ହେଉଛି ଓ ରାହୁଲ ସେଠାକାର ପର୍ଯ୍ୟଟନର ମଜା ନେବା ସହ ବାଇକ ଚଳାଇ ପାରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି |

ସେପଟେ ଆଜି ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ନିଜ ପିତା ରାଜୀବ ଗାନ୍ଧୀଙ୍କ ୭୯ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାହୁଲ।

Related Posts