ନିଟ୍‌ ପରୀକ୍ଷା ଉଚ୍ଛେଦ ଦାବିରେ ଦିନିକିଆ ଅନଶନରେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ନ୍ୟାସ୍‌ନାଲ୍‌ ଏଣ୍ଟ୍ରାନ୍‌ସ୍‌-କମ୍‌-ଇଲିଜିବିଲିଟି ଟେଷ୍ଟ୍‌’ (ନିଟ୍‌) ଉଚ୍ଛେଦ ଦାବି କରି ଆଜି ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ‘ଡିଏମ୍‌କେ’ ରାଜ୍ୟବ୍ୟାପୀ ଏକ ଦିବସୀୟ ଅନଶନ ଧର୍ମଘଟ ଚଳାଇଛି। ଏହି ଧର୍ମଘଟର ନେତୃତ୍ବ ନେଇଛନ୍ତି ରାଜ୍ୟର ମନ୍ତ୍ରୀ ତଥା ଦଳର ଯୁବ ଶାଖାର ମୁଖ୍ୟ ଉଦୟନିଧି ଷ୍ଟାଲିନ୍‌।

ସୂଚନା ଅନୁସାରେ, ଚେନ୍ନାଇର ବାଲ୍ଲୁବାର୍ କୋଟ୍ଟାମ୍‌ରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦରେ ଉଦୟନିଧିଙ୍କ ସହିତ ଯୋଗ ଦେଇଛନ୍ତି, ବରିଷ୍ଠ ‘ଡିଏମ୍‌କେ’ ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଦୁରାଇମୁରୁଗାନ୍‌, ମା ସୁବ୍ରମଣିୟାନ୍‌ ଓ ପି. କେ. ସେକର ବାବୁ, ଦଳର ସାଂସଦ ଓ ବିଧାୟକ ଓ ଚେନ୍ନାଇ ମେୟର୍‌ ପ୍ରିୟା ଆର୍‌।

ଆରିୟାଲୁର୍‌ର ଏସ୍‌. ଅନୀତାଙ୍କ ସମେତ ‘ନିଟ୍‌’ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଆତ୍ମହତ୍ୟା କରିଥିବା ଡାକ୍ତରୀ ପଢ଼ା ଆଶାୟୀମାନଙ୍କର ଫଟୋ ମଞ୍ଚରେ ରଖାଯାଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ତେବେ ଗତ ସପ୍ତାହରେ ଚେନ୍ନାଇର କ୍ରୋମେପେଟ୍‌ ଅଞ୍ଚଳରେ ‘ନିଟ୍‌’ ପରୀକ୍ଷାରେ ଅସଫଳ ହୋଇ ଜଣେ ୧୯ ବର୍ଷିୟ ଛାତ୍ର ଆତ୍ମହତ୍ୟା କରୁବାରୁ ତା’ର ବାପା ଆତ୍ମହତ୍ୟା କରିଥିଲେ। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିବା ପରେ ‘ନିଟ୍‌’ ଉଚ୍ଛେଦ କରିବା ଲାଗି ଦାବି କରି ରାଜ୍ୟବ୍ୟାପୀ ଦିନିକିଆ ଅନଶନ ଧର୍ମଘଟ ଆରମ୍ଭ ହୋଇଛି।

ଦୁରାଇମୁରୁଗାନ୍‌ କହିଛନ୍ତି, ‘ନିଟ୍‌’ ଛାତ୍ର କଲ୍ୟାଣ ବିରୋଧୀ। ସେଥିପାଇଁ ଦୀର୍ଘ ଦିନରୁ ‘ଡିଏମ୍‌କେ’ ଏହାକୁ ବିରୋଧ କରିଆସୁଛି। ଥରକୁ ଥର ନିବେଦନ କରିବା ସତ୍ତ୍ବେ କେନ୍ଦ୍ର ସରକାର ତାମିଲନାଡୁର ଅନୁରୋଧକୁ ଉପେକ୍ଷା କରୁଛନ୍ତି ବୋଲି ସେ କହିଛନ୍ତି।

Related Posts