୨୦୨୮ ପର୍ଯ୍ୟନ୍ତ ‘ହର ଘର ଜଳ’ ଲକ୍ଷ୍ୟ; ମହିଳାଙ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ

ଭୁବନେଶ୍ୱର, ୨୪ ମାର୍ଚ୍ଚ:ଓଡ଼ିଶାରେ ଜଳ ପରିଚାଳନା କ୍ଷେତ୍ରରେ ଆଜି ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ଜଳ ଜୀବନ ମିଶନ 2.0 ର କାର୍ଯ୍ୟକାରିତା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ମିଶନ ୨୦୨୮ ପର୍ଯ୍ୟନ୍ତ ଚାଲିବା ସହ ‘ହର ଘର ଜଳ’ ଲକ୍ଷ୍ୟ ପୂରଣ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି।ଲୋକସେବା ଭବନରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିମୂଳକ ନେତୃତ୍ୱରେ ଦେଶର ୭୭.୩ ପ୍ରତିଶତ ପରିବାର ଟ୍ୟାପ୍ ସଂଯୋଗ ପାଇଛନ୍ତି। ଏହି ମିଶନର ସମ୍ପ୍ରସାରଣ ଓଡ଼ିଶାରେ ପାଣି ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଜଳ ଜୀବନ ମିଶନ 2.0 ଅନୁଯାୟୀ ରାଜ୍ୟ ସରକାର ଏକ ସୁସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ଡିଜିଟାଲ୍ ମନିଟରିଂ, ଜନସାଧାରଣଙ୍କ ଭାଗିଦାରୀ ଓ ଆର୍ଥିକ ସ୍ଥିରତାକୁ ଗୁରୁତ୍ୱ ଦିଆଯାଇଛି। ପ୍ରାୟ ୫,୦୦୦ ଗ୍ରାମୀଣ ପାଇପ୍ ଜଳ ଯୋଜନାକୁ ଡିଜିଟାଲ୍ ପ୍ଲାଟଫର୍ମରେ ଆଣାଯାଇଛି ଓ ସମସ୍ତ ଯୋଜନାର ବିତ୍ତୀୟ ସମନ୍ୱୟ ସମ୍ପନ୍ନ ହୋଇଛି।ରାଜ୍ୟରେ ପ୍ରତି ବ୍ୟକ୍ତି ପାଇଁ ଦିନକୁ ୭୦ ଲିଟର ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ, ଏହି ଯୋଜନାରେ ରାଜ୍ୟ ସରକାର ପ୍ରାୟ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ବସୁଧା ହେଲ୍ପଲାଇନ୍ ଓ ଡିଜିଟାଲ୍ ଗ୍ରୀଭାନ୍ସ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କୁ ସୁବିଧା ଯୋଗାଯାଉଛି।ଗ୍ରାମସ୍ତରରେ VWSC ମାଧ୍ୟମରେ ଲୋକଙ୍କ ଭାଗିଦାରୀ ବୃଦ୍ଧି ପାଇଛି। ୩୦ ଜିଲ୍ଲାରୁ ୨୫ଟି ଜିଲ୍ଲାରେ ‘ଜଳ ଅର୍ପଣ ଦିବସ’ ସଫଳତାର ସହ ପାଳନ ହୋଇଛି।ଏହି ମିଶନ ମହିଳାମାନଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍ ପାଟିଲ କହିଥିଲେ। ଏବେ ସେମାନେ ପାଣି ପାଇଁ ଦୂର ଦୂର ଯିବାକୁ ପଡିବ ନାହିଁ।ଏହା ସହ ରାଜ୍ୟରେ ଜଳ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାମ ହୋଇଛି। ୨.୨୧ ଲକ୍ଷ ଜଳ ସଂରକ୍ଷଣ ଗଠନ, ୪୩ ହଜାରରୁ ଅଧିକ ଜଳାଶୟ ପୁନରୁଦ୍ଧାର, ୪୨ ହଜାର ଭୂଗର୍ଭ ଜଳ ପୁନର୍ଭରଣ କାର୍ଯ୍ୟ ଓ ୨ କୋଟିରୁ ଅଧିକ ଗଛ ରୋପଣ କରାଯାଇଛି।ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାରେ ପାଣି ସମସ୍ୟାର ସମାଧାନ ଦେଇ ସାଧାରଣ ଲୋକଙ୍କ ଜୀବନକୁ ସୁବିଧାଜନକ କରିବ ବୋଲି ଆଶା କରାଯାଉଛି।

Related Posts