ଚର୍ଚ୍ଚାରେ ତଥାଗତଙ୍କ ଟ୍ୱିଟ: ନୂଆ ଆଞ୍ଚଳିକ ଦଳ ଆଡକୁ ଦେଲେ ଇସାରା

ସତ୍ୟପ୍ରକାଶ ନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂସଦରେ ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଓ ବହୁ ଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ ପ୍ରସଙ୍ଗରେ ବିଜେପି ସମର୍ଥନରେ ବାହାରିଛି ବିଜୁ ଜନତା ଦଳ | ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବା ସହିତ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ କରିବା ପାଇଁ ସମସ୍ତ ସାଂସଦଙ୍କୁ ହ୍ୱିପ ଜାରି ହୋଇଛି | ରାଜ୍ୟରେ ଦୁଇ ଦଳ ପରସ୍ପରକୁ ବିରୋଧ କରୁଥିବା ବେଳେ ଦିଲ୍ଲୀରେ ସମର୍ଥନ ଦେବାକୁ ନେଇ ତେରେଛା ବାଣ ମାରିଛନ୍ତି ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ |

ଟ୍ୱିଟ କରି ତଥାଗତ ପରୋକ୍ଷରେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଏବେ ସଂପୂର୍ଣ୍ଣ ଦୁର୍ବଳ ଓ ଦନ୍ତହୀନ | ତେଣୁ ରାଜ୍ୟବାସୀ କଂଗ୍ରେସ ଉପରେ ଭରସା କରି କିଛି ଲାଭ ନାହିଁ | ଏହାସହିତ ବିଜେଡି ଓ ବିଜେପିକୁ ଭାଇ ଭାଇ ବୋଲି କହିଛନ୍ତି ତଥାଗତ | ଉଭୟ ଦଳ କେବଳ ମିଳିମିଶି ଡ୍ରାମା କରୁଛନ୍ତି | ରାଜ୍ୟରେ ଉଭୟ ଉଭୟଙ୍କୁ ବିରୋଧ କରୁଥିବା ବେଳେ ଦିଲ୍ଲୀରେ କିନ୍ତୁ କୋଳାକୋଳି | ତେଣୁ ଏବେ ଏ ସମସ୍ତ ଦଳର ବିକଳ୍ପ ଭାବେ ରାଜ୍ୟରେ ଆଉ ଏକ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି ବୋଲି ତଥାଗତ ଇସାରା ଦେଇଛନ୍ତି |

ତେବେ ଢେଙ୍କାନାଳରୁ 4 ଥର ସାଂସଦ ଥିବା ତଥାଗତ ଶେଷ ଥର ପାଇଁ 2014ରେ ବିଜେଡି ଟିକେଟରେ ସାଂସଦ ହୋଇଥିଲେ | ହେଲେ 2019 ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା | ଆଉ ତଥାଗତ ମଧ୍ୟ ନିଜକୁ ବିଜେଡି ଠାରୁ ଦୁରେଇ ନେଇଥିଲେ | ହେଲେ ଗତ ଏପ୍ରିଲ 23 ରେ ବିଜୁ ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦ୍ଘାଟନୀ ସଭାରେ ତାଙ୍କୁ ଦେଖିବାକୁ ମିଳିଥିଲା | ହେଲେ ରାଜନେତା ଭାବେ ନୁହେଁ ବରଂ ଜଣେ ସାମ୍ବାଦିକ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତଥାଗତ କହିଥିଲେ|

ତେବେ ବିଜେଡିକୁ ଆସିବା ପୂର୍ବରୁ ତଥାଗତ ବିଜୟ ମହାପାତ୍ରଙ୍କ ଦ୍ୱାରା ଗଠିତ ଓଡିଶା ଗଣ ପରିଷଦରେ ଥିଲେ | ଆଉ ଏବେ ସେ ଆଉ ଏକ ଆଞ୍ଚଳିକ ଦଳ ଆଡକୁ ଇସାରା ଦେବା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ଏହି ନୂଆ ଆଞ୍ଚଳିକ ଦଳ କିଏ ଓ କେବେ ଗଠନ କରିବ ସେନେଇ ସେ ସ୍ପଷ୍ଟ କରି ନଥିବା ବେଳେ, ଯଦି ଏକ ନୂଆ ଦଳ ଗଠନ ହୁଏ ଏହା ରାଜ୍ୟରେ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା |

Related Posts