ଭୁବନେଶ୍ଵର,୩/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ଏବେ ତେଲେଙ୍ଗାନାରେ ମଧ୍ୟ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲାଣି। ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ବିଲ୍କୁ ଅନୁମୋଦନ ଦେଉନଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ରାଜ୍ୟ ସରକାର। ୧୦ଟି ବିଲ୍କୁ ଅନୁମୋଦନ ଦେବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟରେ ଅପିଲ୍ କରିଛନ୍ତି ତେଲେଙ୍ଗାନା ସରକାର।
ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ସଚିବ ଏ ଶାନ୍ତି କୁମାରୀ ଅଦାଲତରେ ପିଟିସନ ଦାୟର କରିଛନ୍ତି। ଆଜି ମାମଲାର ଶୁଣାଣି କରି ପାରନ୍ତି ସୁପ୍ରିମକୋର୍ଟ।ଉଲ୍ଲେଖଯୋଗ୍ୟ, ଗତ ଛଅ ମାସରେ ୨୦୨୨ ସେପ୍ଟେମ୍ବରଠୁ ରାଜ୍ୟପାଳଙ୍କ ନିକଟରେ ଛଅଟି ବିଲ୍ ବିଚାରଧୀନ ରହିଛି। ବାକି ତିନୋଟି ବିଲ୍ ତିନି ସପ୍ତାହ ତଳେ ବଜେଟ୍ ସେସନରେ ପାରିତ ହୋଇଛି।
ଏଥିରୁ ରାଜ୍ୟ ସରକାର ବିଶ୍ଵ ବିଦ୍ୟାଳୟ ପାଇଁ ସାଧାରଣ ନିଯୁକ୍ତି, ନଗରପାଳିକା ସଂଶୋଧିତ ଆଇନ ଏବଂ ଘରୋଇ ବିଶ୍ଵ ବିଦ୍ୟାଳୟ ନେଇ ଉଦ୍ଦିଷ୍ଟ ଏହି ତିନି ବିଲ୍ ଶୀଘ୍ର ମଞ୍ଜୁରୀ ମିଳିବା ନେଇ ଆଶା ରଖିଛନ୍ତି। ଗତ ଫେବୃଆରୀରେ ରାଜ୍ୟ ସରକାର ତେଲେଙ୍ଗାନା ହାଇକୋର୍ଟର ଦ୍ଵାରସ୍ଥ ହୋଇ ୨୦୨୩-୨୪ ବଜେଟ୍କୁ ମଞ୍ଜୁରୀ ଦେବା ପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବାକୁ ଅପିଲ୍ କରିଥିଲେ। ତେବେ ପ୍ରଥା ଅନୁଯାୟୀ, ରାଜ୍ୟପାଳଙ୍କ ଅଭିଭାଷଣ ବିନା ବଜେଟ୍ ଅଧିବେଶନ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ଏମିତି ନିର୍ଣ୍ଣୟ ପରେ ରାଜ୍ୟପାଳ ବିଲ୍ ମଞ୍ଜୁରୀକୁ ଅଟକାଇ ଦେଇଥିଲେ।
ତେବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସରକାର ରାଜ୍ୟପାଳଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେସନ ଆରମ୍ଭ କରିବାକକୁ ରାଜି ହୋଇଥିଲେ। ନିକଟରେ ସଂପନ୍ନ ବଜେଟ୍ ଅଧିବେଶନରେ ୫ ବିଲ୍ ଗୃହୀତ ହୋଇଛି। ରାଜ୍ୟପାଳ ୨୦୨୨ ବିନିଯୋଗ ବିଲ୍ ଏବଂ ୨୦୨୩-୨୪ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି।





