ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ; ବିଜେପି ଟିକେଟରେ ଲଢ଼ିବେ ନିର୍ବାଚନ!

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ସୋମବାର ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ତାମିଲାଇସାଇ ସୌନ୍ଦରାଜନ୍‌। ତେବେ ସେ ପୂର୍ବରୁ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ରହିଥିଲେ | ଆଉ ଇସ୍ତଫା ଦେବାପରେ ଏବେ ସେ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି।

ସେ ସୋମବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ସେପଟେ ଏକ ବିବୃତ୍ତିରେ ତେଲେଙ୍ଗାନା ରାଜ ଭବନ ପକ୍ଷରୁ କୁହାଯାଇଛି, “ତେଲେଙ୍ଗାନାର ମାନ୍ୟବର ରାଜ୍ୟପାଳ ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡକ୍ଟର ଶ୍ରୀମତୀ ତାମିଲାଇସାଇ ସୌନ୍ଦରାଜନ୍‌ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି।’’

ତେବେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପ୍ରାର୍ଥୀ ତାଲିକାରେ ସୌନ୍ଦରାଜନ୍‌ ଙ୍କ ନାଁ ରହିବାର ସମ୍ଭାବନା ରହିଛି। ସେ ହୁଏତ ଉତ୍ତର ତାମିଲନାଡୁ, ପୁଡୁଚେରୀ କିମ୍ବା ଚେନ୍ନାଇ ଦକ୍ଷିଣ ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି|

ତେବେ ଗତବର୍ଷ ଡିସେମ୍ବର ମାସରେ ତାମିଲନାଡୁରେ ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ସେ ଶାସକ ଦଳ ଡିଏମକେକୁ ନିନ୍ଦା କରି କହିଥିଲେ ଯେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବା ଉଚିତ, ସେ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ତାଙ୍କର ଏହି ବୟାନ ସେତେବେଳ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଥିଲା।

Related Posts