ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା; ୫ ଭାରତୀୟଙ୍କ ସମେତ ବିମାନରେ ଥିବା ସମସ୍ତ ୭୨ ଯାତ୍ରୀ ମୃତ

ଭୁବନେଶ୍ୱର,୧୫/୧(ସତ୍ୟପାଠ ବ୍ୟୁରୋ): ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ATR-72 ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରୁଥିଲା।

ବିମାନଟି ଆଜି ସକାଳ ୧୦ଟା ୩୦ରେ ତ୍ରିବୁଭନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ତେବେ ବିମାନଟି ଅବତରଣ କରିବାର ମାତ୍ର ଦଶ ସେକେଣ୍ଡ ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଫଳରେ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନଟି ପୁରୁଣା ଡୋମେଷ୍ଟିକ୍ ଏୟାରପୋର୍ଟ ଏବଂ ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ପ୍ରବାହିତ ସେଟି ଗଣ୍ଡକି ନଦୀ କୂଳରେ ଅବସ୍ଥିତ ଜଙ୍ଗଲ ଜମିରେ ଖସିପଡିଥିଲା।

ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିମାନରେ ଆଉ କୌଣସି ଯାତ୍ରୀ ଜୀବିତ ନଥିବା ଜଣାପଡ଼ିଛି। ବିମାନରେ ୧୧ ଜଣ ବିଦେଶୀ ଯାତ୍ରୀ ଏବଂ ସେମାନଙ୍କ ମଧ୍ୟରେ ତିନିଜଣ ଶିଶୁ ଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଥିରେ ୫୩ ଜଣ ନେପାଳୀ, ୫ ଜଣ ଭାରତୀୟ, ୪ ଜଣ ଋଷୀୟ, ଜଣେ ଇଂଲଣ୍ଡ ନାଗରିକ, ୨ଜଣ କୋରିଆ, ଜଣେ ଆର୍ଜେଣ୍ଟିନା ଏବଂ ଜଣେ ଫ୍ରାନ୍ସ ନାଗରିକ ଥିଲେ। ପୋଖରା ବିମାନ ବନ୍ଦରରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପରେ ସରକାର କ୍ୟାବିନେଟର ଜରୁରୀ ବୈଠକ ଡାକିଛନ୍ତି।

ଏହା ଏକ ATR 72 ବିମାନ ଟର୍ବୋ ଥିଲା, ଯାହା ସର୍ବାଧିକ ଘଣ୍ଟାକୁ ୫୦୦ କିଲୋମିଟର ବେଗରେ ଗତି କରିପାରିବ। ଏହି ଧରଣ ବିମାନ ଗୁଡ଼ିକ କମ୍ ଉଚ୍ଚତାରେ ଉଡ଼ିବା ପାଇଁ ପ୍ରସ୍ତୁତ କରାଯାଇଛିଛି। ତେବେ ଘଟଣାର ଯାଞ୍ଚ କରାଯିବ ବୋଲି ନେପାଳ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି। ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ନେପାଳ ବିମାନବନ୍ଦର କର୍ତ୍ତୃପକ୍ଷର ଅଧିକାରୀମାନେ କହିଛନ୍ତି। ଅବତରଣ କରାଇବା ପାଇଁ ପାଇଲଟ୍‌ ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ଙ୍କୁ ଅନୁମତି ମାଗିଥିଲେ ଏବଂ ସେଥିପାଇଁ ଅନୁମତି ପାଇଥିଲେ ମଧ୍ୟ।

Related Posts