ଫେଲ ମାରିଲା ଆତଙ୍କବାଦୀଙ୍କ ବିସ୍ଫୋରଣ ଉଦ୍ୟମ; ୧୨ କିଲୋ ଆରଡିଏକ୍ସ ସହିତ ୩ ଆତଙ୍କବାଦୀଙ୍କୁ ଗିରଫ କଲା ରାଜସ୍ଥାନ ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫେଲ ମାରିଲା ଆତଙ୍କବାଦୀଙ୍କ ବିସ୍ଫୋରଣ ଉଦ୍ୟମ । ରାଜସ୍ଥାନର ଚିତ୍ତୋରଗଡର ନିମ୍ବାହଡାରେ ୩ ଆତଙ୍କବାଦୀଙ୍କୁ ରାଜସ୍ଥାନ ପୁଲିସ କରିଥିବାର ସୂଚନା ମିଳିଛି । ତେବେ ଏହି ଆତଙ୍କବାଦୀମାନେ ମଧ୍ୟପ୍ରଦେଶର ସୁଫା ସଂଗଠନର ବୋଲି ଜଣା ପଡ଼ିଛି । ଏମାନଙ୍କ ଠାରୁ ବୋମା ତିଆରି କରିବାର ସାମଗ୍ରୀ, ଟାଇମର୍ ଓ ୧୨ କିଲୋଗ୍ରାମ ଆରଡିଏକ୍ସ ଜବତ କରାଯାଇଛି। ସେପଟେ ଅଭିଯୁକ୍ତମାନେ ନିମ୍ବାହଡାରେ ବୋମା ତିଆରି କରି ଅନ୍ୟ ଗ୍ୟାଙ୍ଗକୁ ଦେବାକୁ ଯାଉଥିଲେ। ଏହି ଗ୍ୟାଙ୍ଗ ଜୟପୁରର ତିନିଟି ସ୍ଥାନରେ ସିରିଏଲ୍ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ତେବେ ଯୋଜନାକୁ କାର୍ୟ୍ୟକାରୀ କରିବା ପୂର୍ବରୁ ହିଁ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଦେଶଦ୍ରୋହ ମାମଲାରେ କୁଖ୍ୟାତ ସୁଫା ସଂଗଠନ ୨୦୧୨-୧୩ରେ ମଧ୍ୟପ୍ରଦେଶର ରତଲାମରେ ସକ୍ରିୟ ହୋଇଥିଲା। କିଛି ବର୍ଷ ଶାନ୍ତ ରହିବା ପରେ ଏହି ଆକଙ୍କବାଦୀ ସଂଗଠନ ପୁନର୍ବାର ଆତଙ୍କ ଘଟାଇବାର ଯୋଜନା କରୁଛି। ଆତଙ୍କବାଦୀମାନଙ୍କୁ ପଚରାଉଚୁରା କରିବା ପାଇଁ ଉଦୟପୁର ଓ ଜୟପୁର ଏଟିଏସର ଟିମ୍ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ନିମ୍ବାହଡା ପହଞ୍ଚିଥିଲା।

ମଧ୍ୟପ୍ରଦେଶର ଏଟିଏସ୍ ମଧ୍ୟ ପଚରାଉଚୁରା ପାଇଁ ପହଞ୍ଚିବ। ଉଦୟପୁରର ଆଇଜି ହିଙ୍ଗଲରାଜ ଦାନ କହିଛନ୍ତି, ଅଭିଯୁକ୍ତମାନଙ୍କ ନାମ ଜୁବେର୍, ଅଲ୍ତମସ୍, ସୈଫୁଲ୍ଲା। ଏମାନେ ରତଲାମରୁ ଯାଇ ନିମ୍ବାହଡା ପାଖରେ ରାନିଖେଡାରେ ରହୁଥିଲେ। ରାଜସ୍ଥାନରେ ଧରା ପଡିଥିବା ଆତଙ୍କବାଦୀଙ୍କ ସୂଚନା ଅନୁସାରେ ରତଲାମରୁ ବି ୨ ଜଣଙ୍କୁ ଗିରଫ କରାଯାଇଛି। ସୁଫା କଠୋରପନ୍ଥୀ ଚିନ୍ତାଧାରାର ୪୦-୫୦ ଜଣ ଯୁବକଙ୍କ ଏକ ମୁସଲିମ ସଙ୍ଗଠନ। ଏହା ଆତଙ୍କବାଦୀଙ୍କ ସ୍ଲିପର୍ ସେଲ୍ ଭଳି କାମ କରିଥାଏ। ଏହି ସଙ୍ଗଠନ ସମାଜରେ କଠୋରପନ୍ଥୀ ବିଚାରଧାରା ଓ କାର୍ୟ୍ୟକଳାପକୁ ପ୍ରୋତ୍ସାହନ ଦେଇଥାଏ। ସୁଫା ସଙ୍ଗଠନ ମୁସଲିମ ସମାଜର ବିବାହ ଓ ଅନ୍ୟ କାର୍ୟ୍ୟକ୍ରମକୁ ହିନ୍ଦୁ ରୀତିନୀତି ଦର୍ଶାଇ ବିରୋଧ କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts