ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ): ଜାତୀୟ ଦଳର ମାନ୍ୟତା ପାଇଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି (ଆପ)। ସୋମବାର ନିର୍ବାଚନ କମିସନ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଏଥିସହ ଶରଦ ପାଓ୍ୱାରଙ୍କ ଏନସିପି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସିପିଆଇ ନିକଟରୁ ଜାତୀୟ ଦଳର ମାନ୍ୟତାକୁ ପ୍ରତ୍ୟାହାର କରି ନେଇଛନ୍ତି।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏହି ଦଳମାନଙ୍କୁ ଜାତୀୟ ଦଳର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଏହି ଦଳଗୁଡିକ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ତେଣୁ ଏହି ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ସେମାନଙ୍କୁ ୨ଟି ବିଧାନସଭା ନିର୍ବାଚନ ଏବଂ ୨୧ଟି ରାଜ୍ୟସଭା ନିର୍ବାଚନରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। ଏବେ ଦଳର ପ୍ରଦର୍ଶନ ସମୀକ୍ଷା କରାଯାଇ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯାଇଛି। ତେବେ ପରବର୍ତ୍ତୀ ନିର୍ବାଚନରେ ପ୍ରଦର୍ଶନ ଭଲ ରହିଲେ ଏହି ଦଳଗୁଡିକ ଜାତୀୟ ଦଳ ହେବାର ମାନ୍ୟତା ପାଇପାରିବେ।
ସେପଟେ ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟ ଭଳି ୪ଟି ରାଜ୍ୟରେ ଦଳର ନିର୍ବାଚନୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆପକୁ ଜାତୀୟ ଦଳ ଭାବେ ମାନ୍ୟତା ମିଳିଛି। ସେପଟେ ଏନସିପି,ସିପିଆଇ ଓ ଟିଏମସି ଆଦି ଦଳ ଜାତୀୟ ମାନତ୍ୟ ହରାଇବା ପରେ ଏବେ ଦେଶରେ ମୋଟ ଛଅଟି ଜାତୀୟ ଦଳ ବିଜେପି, କଂଗ୍ରେସ, ଆପ୍, ନ୍ୟାସନାଲ ପିପୁଲ୍ସ ପାର୍ଟି, ସିପିଏମ ଓ ବିଏସପି ରହିଛି।
ସେହିପରି ଉତ୍ତର ପ୍ରଦେଶରେ ଆରଏଲଡି, ତେଲେଙ୍ଗାନାର ବିଆରଏସ, ମଣିପୁରରେ ପିଡିଏ, ପୁଡୁଚେରୀରେ ପିଏମକେ, ପଶ୍ଚିମବଙ୍ଗରେ ଆରଏସପି, ମିଜୋରାମରେ ଏମପିସିକୁ ରାଜ୍ୟ ଦଳ ମାନ୍ୟତାକୁ କମିଶନ ପ୍ରତ୍ୟାହାର କରିନେଇଛନ୍ତି। ସେହିପରି ବିହାରର ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ମେଘାଳୟରେ ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି ଏବଂ ତ୍ରିପୁରାରେ ଟିପରା ମୋଥାକୁ ମାନ୍ୟତାପ୍ରାପ୍ତ ରାଜ୍ୟ ରାଜନୈତିକ ଦଳ ପ୍ରଦାନ କରାଯାଇଛି।
ଜାତୀୟ ଦଳ ଭାବେ ମାନ୍ୟତା ପାଇବାକୁ ହେଲେ ସର୍ବନିମ୍ନ ତିନିଟି ରାଜ୍ୟରେ ଲୋକସଭା ଆସନର ଦୁଇ ପ୍ରତିଶତ ଅର୍ଥାତ ୧୧ଟି ଆସନ ରହିବା ଆବଶ୍ୟକ। ଅନ୍ୟ ମାନଦଣ୍ଡଟି ହେଲା, ଚାରୋଟି ରାଜ୍ୟରେ ଦଳକୁ ରାଜ୍ୟସ୍ତରୀୟ ଦଳର ମାନ୍ୟତା ମିଳିବା ନିହାତି ଆବଶ୍ୟକ।
ଦିଲ୍ଲୀ ଓ ପଞ୍ଜାବରେ ସରକାର ଥିବାରୁ ଆପ ମାନଦଣ୍ଡ ପୂରଣ କରିଛି ଏବଂ ଗୋଆରେ ଦଳ ୬ ପ୍ରତିଶତ ଭୋଟ/ଦୁଇଟି ଆସନର ଆବଶ୍ୟକତା ପୂରଣ କରିଛି। ସେହିଭଳି ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରାୟ ୧୩ ପ୍ରତିଶତ ଭୋଟ୍ ପାଇ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପଦାର୍ପଣରେ ପାଞ୍ଚଟି ଆସନ ଜିତିବା ପରେ ଗତ ବର୍ଷ ଆପ୍ ଜାତୀୟ ଦଳ ମାନ୍ୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ପୂର୍ବରୁ ଏନେଇ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରି ସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଆପ କୁ ଜାତୀୟ ଦଳ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି।





