ଫ୍ୟାନଙ୍କ ଶକ୍ତି ଆଗରେ ନଇଁଲା ବିସିସିଆଇ । ଷ୍ଟାଡିୟମ ଭିତରରେ ମ୍ୟାଚ୍ ଦେଖିବା ନେଇ ଲାଗୁ କରିଥିବା କଟକଣା କୁ ଉଠାଇଛି ବିସିସିଆଇ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିର ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ବିରାଟ୍ କୋହଲିଙ୍କ ଏହା ୧୦୦ତମ ମ୍ୟାଚ୍ ହେବ। ତେବେ ପୂର୍ବରୁ କୋହଲିଙ୍କ ୧୦୦ତମ ଟେଷ୍ଟ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କ ପ୍ରବେଶ ଉପରେ ବିସିସିଆଇ କଟକଣା ଲଗାଇଥିଲା। ହେଲେ ବିସିସିଆଇର ଏହି ନିଷ୍ପତ୍ତିକୁ ଫ୍ୟାନ୍ ମାନେ ତୀବ୍ର ବିରୋଧ କରିଥିଲେ । ଏପରିକି ସୋଶାଲ ମିଡିଆରେ ବୋର୍ଡ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାପରେ ବୋର୍ଡ ଏବେ ତା’ର ନିଷ୍ପତ୍ତି ବଦଳାଇଛି । ଦର୍ଶକଙ୍କୁ ଉକ୍ତ ଟେଷ୍ଟ ଦେଖିବା ପାଇଁ ଅନୁମତି ଦେଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ମଧ୍ୟ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ଏ ନେଇ ପିସିଏ କୋଷାଧ୍ୟକ୍ଷ ଆରପି ସିଙ୍ଗଲା କହିଛନ୍ତି ଯେ, ମାର୍ଚ୍ଚ ୪ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ବିସିସିଆଇ ଦର୍ଶକଙ୍କୁ ଅନୁମତି ଦେଇଥିବା ଜାଣିବାକୁ ପାଇଲୁ। ଷ୍ଟାଡିୟମରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆମେ ବୁଧବାର ଠାରୁ ଟିକେଟର ଅନଲାଇନ୍ ବିକ୍ରି ଆରମ୍ଭ କରିଦେବୁ। ମ୍ୟାଚ୍ ଦେଖିବା ପାଇଁ ଆସିବାକୁ ଥିବା ଫ୍ୟାନଙ୍କୁ କୋଭିଡ୍ ପ୍ରୋଟୋକଲ୍ ପାଳନ କରିବାକୁ ପଡ଼ିବ ବୋଲ କୋଷାଧ୍ୟକ୍ଷ କହିଛନ୍ତି।
୨୦୧୧ରେ କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା କୋହଲି ଏପର୍ଯ୍ୟନ୍ତ ୯୯ଟି ନାଲି-ବଲ୍ ମ୍ୟାଚ୍ ଖେଳି ୭୯୬୨ ରନ୍ କରିଛନ୍ତି।





