ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକାଣ୍ଡର ଅନୁଧ୍ୟାନ କରିବ ବିଜେପି । ମେ’ ୧ ତାରିଖରେ ସମ୍ବଲପୁର ଆସିବ ବିଜେପିର ଅନୁଧ୍ୟାନ କମିଟି । ରାଜ୍ୟସଭା ସାଂସଦ ବ୍ରଜଲାଲଙ୍କ ନେତୃତ୍ବରେ ଗଠିତ ୪ ଜଣିଆ କମିଟି ସମ୍ବଲପୁର ଆସିବେ ।
ଏହି ଟିମ୍ ୨ ତାରିଖରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଏହାସହିତ ମୃତ ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ଗାଁ ଓ ଘରକୁ ଯାଇ ମଧ୍ୟ ଆଲୋଚନା କରିବ ଟିମ୍ ।ପରେ ଆରଡିସି ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠନ କରିଛନ୍ତି । ଏହି କମିଟିରେ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ତଥା ପଶ୍ଚିମବଙ୍ଗ ପୁରୁଲିୟାର ସାଂସଦ ଜ୍ୟୋର୍ତିମୟ ସିଂ ସଦସ୍ୟ ରହିଛନ୍ତି । ଯାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ତନ ତନ ଯାଞ୍ଚ କରିବ, ଖବର ସଂଗ୍ରହ କରିବ ଓ ପରେ ନିଜ ରିପୋର୍ଟ ପ୍ରଦାନ କରିବ । ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବ ଓ ତାହାର ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହସ୍ତାନ୍ତର କରିବ ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି ଦ୍ୱାରା ତଦନ୍ତ ଦାବି କରିଥିଲେ । ଏହି ଘଟଣାର ଷଡଯନ୍ତ୍ରକାରୀ ତଥା ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।





