ଆନ୍ଦୋଳନ ବେଳେ ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୁଲିସର ଆକ୍ରମଣ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ଦାବି କଲା ବିଜେପି

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ସମୟରେ ଲୋୟର ପିଏମଜିରେ କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ତାତିଛନ୍ତି ବିଜେପି ବିଧାୟକ। ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ନିଜର ମତ ରଖି କହିଛନ୍ତି ଯେ, ‘ବିଜେପି ଯୁବ ମୋର୍ଚ୍ଚା ଶାନ୍ତିପ୍ରିୟ ଭାବେ ଆନ୍ଦୋଳନ କରୁଥିଲେ।କିନ୍ତୁ ପୁଲିସ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ବର୍ବରୋଚିତ ଆକ୍ରମଣ କରିଛି। ଆକ୍ରମଣ ଫଳରେ ୩୦ରୁ ୪୦ କର୍ମକର୍ତ୍ତା ଆହତ ହୋଇଛନ୍ତି। ଓଲଟା ଆହତ ହେବା ବାହାନାରେ ପୋଲିସମାନେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଗୁଣ୍ଡରାଜ ଚଳାଇଛି। ମିଛ ଅଭିନୟ କରି ପୋଲିସମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଗୁଣ୍ଡରାଜ କରି ଓଲଟା ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କ ବିରୋଧରେ ୩୦୭ ଦଫା ଲଗାଇବା ଦୁର୍ଭାଗ୍ୟଜନକ। ଏ ସଂକ୍ରାନ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ବିଜେପି ଦାବି କରିଛି। ପୁଲିସକୁ ମିଛ ଅଭିନୟ ପାଇଁ କୁହାଯାଉଛି ବୋଲି ବିଜେପି ଅଭିଯୋଗ କରିଛି।’

ଅନ୍ୟପକ୍ଷରେ ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି ଯେ, ‘ସିସଟିଭି ଭିଜୁଆଲ ଦେଖାନ୍ତୁ। ବିଜେପି ଯୁବକର୍ମୀ ପୁଲିସକୁ ମାରୁଛନ୍ତି ନା ପୁଲିସ ତାଙ୍କୁ ମାରୁଛି? ଅଣ୍ଡା,ଟେକା ଓ ବିଲାତି ପୁଲିସ ମାଡ଼ କରିଛି କି ? ଏ ସବୁ ମନଗଢା କଥା। ସେମାନେ ପୂର୍ବ ପ୍ରସ୍ତୁତି କରି ଆସିଥିଲେ ପୁଲସ୍ ସହ ଗଣ୍ଡଗୋଳ କରିବାକୁ। ପୁଲିସକୁ ବାରମ୍ବାର ମାରୁଛନ୍ତି। କିନ୍ତୁ ପୁଲିସ ବହୁତ୍ ଧୈର୍ଯ୍ୟ ରଖିଛି। ମିଛ କଥାରେ ଗୃହମନ୍ତ୍ରୀ କାହିଁକି ବିବୃତି ରଖିବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସେଠୀ। ବିଜେପି କର୍ମକର୍ତ୍ତା ପତାକା ଭିତରେ ଠେଙ୍ଗାରେ ପୂରେଇ ଆସିଥିଲେ। ସେମାନେ ଠେଙ୍ଗା, ଟେକା ମାଡ କରିଛନ୍ତି। ଉତ୍ତର ପ୍ରଦେଶରେ ଯେପରି ଦାଦାଗିରି କରୁଛନ୍ତି ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଚଳିବନି।’

ବିଧାନସଭା ଶୂନ୍ୟକାଳରେ ଏହି ଘଟଣାକୁ ନେଇ ହଟ୍ଟଗୋଳ ଓ ଶାସକ-ବିରୋଧୀଂକ ମଧ୍ୟରେ ଆରୋପପ୍ରତ୍ୟାରୋପ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Related Posts