ଟିଭି ବିତର୍କରେ ଭାଗ ନେଉଥିବା ଦଳୀୟ ମୁଖପାତ୍ରଙ୍କ ପାଇଁ ନୂଆ ଲକ୍ଷ୍ମଣ ରେଖା ଟାଣିଲା ବିଜେପି

ନୂଆଦିଲ୍ଲୀ: ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ପ୍ରତି ବିବାଦୀୟ ବୟାନ ପରେ ଏବେ ଚେତିଛି ବିଯେପି। ଟିଭି ବିତର୍କରେ ବିବାଦୀୟ ବୟାନ ଯୋଗୁ ବ୍ୟାକଫୁଟରେ ଥିବା କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବେ ତାଳି ପକାଇବାକୁ ଉଦ୍ୟମ ଆରମ୍ଭ କରିଛି। ଟିଭି ବିତର୍କରେ ଭାଗ ନେଉଥିବା ଦଳୀୟ ମୁଖପାତ୍ରଙ୍କ ପାଇଁ ବିଜେପି ଟାଣିଛି ନୂଆ ଲକ୍ଷ୍ମଣ ରେଖା।

ଏଥିଯୋଗୁ କେବଳ ଭାରତ ନୁହେଁ, ବିଶ୍ୱର ଅନେକ ରାଷ୍ଟ୍ର ବିଜେପି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଥିସହ ନୂପୁର ଶର୍ମାଙ୍କ ପାଇଁ ଭାରତ ସରକାରଙ୍କ ଠାରୁ ସେମାନେ କ୍ଷମା ପ୍ରାର୍ଥନା ଚାହିଁଛନ୍ତି। ଦିନକୁ ଦିନ ଚାପ ବଢ଼ୁଥିବାରୁ ଏବେ ବିଜେପି ନିଜର ମୁଖପାତ୍ରମାନଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ କେବଳ ସ୍ୱୀକୃତିପ୍ରାପ୍ତ ମୁଖପାତ୍ର ଓ ପ୍ୟାନେଲିଷ୍ଟମାନେ ହିଁ ଟିଭି ବିତର୍କରେ ଭାଗ ନେଇପାରିବେ। ସେହିପରି କିଏ କେଉଁ ବିଷୟରେ ବିତର୍କ କରିବ, ସେକଥା ବିଜେପି ମିଡିଆ ସେଲ ସ୍ଥିର କରିବ। ମୁଖପାତ୍ରମାନେ କୌଣସି ଧର୍ମ, ଏହାର ଚିହ୍ନ କିମ୍ବା ଧର୍ମୀୟ ବ୍ୟକ୍ତିବିଶେଷଙ୍କୁ ସମାଲୋଚନା କରିବେ ନାହିଁ। ଗରମାଗରମୀ ବିତର୍କ ବେଳେ ବିଜେପି ମୁଖପାତ୍ରମାନେ କେବେ ହେଲେ ନିଜର ସୀମା ଅତିକ୍ରମ କରିବେ ନାହିଁ ବୋଲି ଦଳ ପକ୍ଷରୁ ସତର୍କ କରାଯାଇଛି।

ଦଳ ପକ୍ଷରୁ ମୁଖପାତ୍ରମାନଙ୍କୁ ଆହୁରି କୁହାଯାଇଛି ଯେ ଟିଭି ବିତର୍କ ପୂର୍ବରୁ ସେମାନେ ଭଲ ଭାବେ ବିଷୟବସ୍ତୁକୁ ବୁଝିବେ, ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବେ। ଦଳର ଏଜେଣ୍ଡା ଓ ସୀମାକୁ ଭଲ ଭାବେ ବୁଝି ମୁଖପାତ୍ରମାନେ ଟିଭି ବିତର୍କକୁ ଯିବେ। ବିତର୍କ ବେଳେ ସେମାନେ କାହା କଥାରେ ଉତ୍ତେଜିତ ହେବେ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିକ୍ରିୟାଶୀଳ ହେବନାହିଁ।

ସେମାନେ ସଂଯମତା ରଖି ଉଚିତ ଶବ୍ଦ ପ୍ରୟୋଗ କରିବେ। ସେହିପରି ମୁଖପାତ୍ରମାନେ କେବେ ବି ଦଳର ଆଦର୍ଶକୁ ଭୁଲି କୌଣସି କଥା କହିବେ ନାହିଁ ବୋଲି ନୂଆ ନିର୍ଦ୍ଦେଶନାମାରେ ସମସ୍ତଙ୍କୁ ଚେତାଇ ଦିଆଯାଇଛି।

Related Posts