ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଆରେ ୨୦ଟି ଆସନରେ ବିଜେପି ବିଜୟୀ । ଏ ନେଇ ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟରେ ଉଲ୍ଲେଖ ରହିଛି । ଏହା ସହିତ ଦଳକୁ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମିଳିଛି । ମ୍ୟାଜିକ ନମ୍ବର ୨୧ ହୋଇଥିବାରୁ ଗୋଆରେ ପୁଣି ବିଜେପି ସରକାର ଗଢିବା ଏକରକମ ନିଶ୍ଚିତ ହୋଇଯାଇଛି । ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ହିଁ ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବ । ନିର୍ବାଚନ ଆୟୋଗ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁସାରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ଆସନରେ ବିଜେପି ୨୦ଟି ଆସନରେ ବିଜୟୀ ହୋଇଛି । କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିବାବେଳେ ୨ଟି ଆସନରେ ଆଗୁଆ ରହିଛି ।
ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଦୁଇଟି ଆସନରେ ବିଜୟୀ ହୋଇଛି । ଗୋଆରେ ପୁଣି ବିଜେପି ସରକାର ଗଢିବା ପରେ ପ୍ରମୋଦ ସାଓ୍ବନ୍ତ ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ଏ ନେଇ ଦଳ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ଅନ୍ୟପକ୍ଷରେ ଗୋଆରେ ଆମ ଆଦମି ପାର୍ଟି (ଆପ) ୨ଟି ଆସନରେ ବିଜୟ ଲାଭ କରିଥିବାବେଳେ ପ୍ରଥମ ଥର ପାଇଁ ଗୋଆ ରାଜନୀତିରେ ପ୍ରବେଶ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ୨ଟି ଆସନରେ ବିଜୟ ହାସଲ କରିଛି ।





