ନୂଆଦିଲ୍ଲୀ: ଜୁଲାଇ ୧୬ରେ ବିଜେପି ସଂସଦୀୟ ଦଳର ବୈଠକ । ଏହି ବୈଠକରେ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ସ୍ଥିର କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା ହୋଇସାରିଥିବା ବେଳେ, ଏ ପର୍ଯ୍ୟନ୍ତ ନା ଏନଡିଏ ପ୍ରାର୍ଥୀ ଘୋଷଣା କରିଛି ନା ବିରୋଧୀ ଦଳ। ଫଳରେ ଏହି ବୈଠକରେ ବିଜେପି ପକ୍ଷରୁ ପାର୍ଥି ଚୟନ ସହ ଆନୁଷ୍ଠାନିକ ନାମ ଘୋଷଣା କରାଯିବ।
ସୂଚନାଯୋଗ୍ୟ, ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ଏବଂ ଏହାର ଶେଷ ତାରିଖ ଜୁଲାଇ ୧୯ ରହିଛି।
ମୁଖତାର ଅବାସ ନକଭି ମୋଦୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ନାମ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ସବୁଠୁ ଆଗରେ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏନଡିଏର ପ୍ରାର୍ଥୀ ଭାବେ ନକଭିଙ୍କ ନାମ ଉପରେ ସହମତି ପ୍ରାୟତଃ ହୋଇସାରିଛି।
ତେବେ ଯେ ପର୍ଯ୍ୟନ୍ତ ଏନଡିଏ ପକ୍ଷରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ନହୋଇଛି, ସେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ। ଏହି ଦୌଡରେ ଆହୁରି ତିନି ଜଣଙ୍କ ନାମ ଥିବା କୁହାଯାଉଛି। ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ, ବର୍ତ୍ତମାନର ସହରାଞ୍ଚଳ ବିକାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଏସଏସ ଆଲୁଓ୍ଵାଲିଆଙ୍କ ନାମ ସାମିଲ୍। ସୁରେଶ ପ୍ରଭୁ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।
ଏହା ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କେରଳର ରାଜ୍ୟପାଳ ଆରିଫ ମହମ୍ମଦ, ମଣିପୁରର ପୂର୍ବତନ ରାଜ୍ୟପାଳ ନଜମା ହେପତୁଲ୍ଲା ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କ ନାମ ମଧ୍ୟ ଆଗରେ ରହିଥିଲା ।





