ରାଞ୍ଚିର ଏକ ମନ୍ଦିର ଭିତରେ ପୂଜାରୀ ଶୋଇଥିବାବେଳେ ପେଟ୍ରୋଲ ବୋମା ଫିଙ୍ଗିଲେ ଦଙ୍ଗାକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଞ୍ଚିର ଏକ ମନ୍ଦିର ଭିତରେ ପୂଜାରୀ ଶୋଇଥିବାବେଳେ ପେଟ୍ରୋଲ ବୋମା ଫିଙ୍ଗିଲେ ଦଙ୍ଗାକାରୀ । ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ଦେଶର ବିଭିନ୍ନ ସହରରେ ହିଂସା ହୋଇଥିବାବେଳେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ବଡ଼ ଧରଣର ହିଂସା ପରିଲକ୍ଷିତ ହୋଇଥିଲା । ଏହି ହିଂସାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତେବେ ମଧ୍ୟରାତ୍ର ପର୍ୟ୍ୟନ୍ତ ବି ହିଂସା ଜାରି ରହିଥିଲା । ଶୁକ୍ରବାର ମଧ୍ୟରାତ୍ରିରେ ଦଙ୍ଗାକାରୀମାନେ ରାଞ୍ଚିର ସୂର୍ୟ୍ୟମନ୍ଦିରକୁ ଲକ୍ଷ୍ୟ କରି ପେଟ୍ରୋଲ ବୋମା ଫିଙ୍ଗିଥିଲେ । ସେ ସମୟରେ ମନ୍ଦିରରେ ପୂଜାରୀ ଓ ତାଙ୍କ ପରିବାର ଶୋଇଥିଲେ ।

ତେବେ ସେମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହି ଘଟଣା ସମ୍ପର୍କରେ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ ବି ପୁଲିସ ଆସିବା ବେଳକୁ ଦଙ୍ଗାକାରୀମାନେ ପଳାଇଯାଇଥିଲେ । ଏ ସଂପର୍କରେ ତଦନ୍ତ ଚାଲିଛି ଓ ଦୋଷୀମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଶୁକ୍ରବାର ରାଞ୍ଚିରେ ହୋଇଥିବା ଦଙ୍ଗାରେ ଦଙ୍ଗାକାରୀମାନେ କେତେକ ହିନ୍ଦୁମନ୍ଦିର ଉପରେ ଆକ୍ରମଣ କରିଥିଲେ । ରାଞ୍ଚିର କାଳିମନ୍ଦିରରେ କେତେକ ସାମ୍ବାଦିକ ଓ ପୁଲିସ ଆଶ୍ରୟ ନେଇଥିବାବେଳେ ସେମାନେ ତାହା ଉପରେ ବି ଆକ୍ରମଣ କରିଥିଲେ ।

Related Posts