ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷା ଶୁଆ ଭଳି ଅଛନ୍ତି, ପଞ୍ଜୁରିରେ ରହୁଛନ୍ତି। ସବୁବେଳେ ଭିଡିଓରେ କହୁଛନ୍ତି। ମୁଖ୍ୟମନ୍ତ୍ରୀ କିଛି ଜାଣିନାହାନ୍ତି, ଯାହା ଲେଖାଯାଉଛି ତାହା ପଢୁଛନ୍ତି। ଗତକାଲି କାଣ୍ଟାବାଞ୍ଜିରେ ୧୦ଟି ଗାଁ ନାଁ କହି ପାରିବେ କି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଖୁବ ବ୍ୟକ୍ତିଗତ ସ୍ତରକୁ ନେଇ ଆଲୋଚନା କରିଥିଲେ।
ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା ରହିଛି। ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଗବେଷଣା ବାବଦରେ କେନ୍ଦ୍ର ସରକାର ୩୦ କୋଟି ଟଙ୍କା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅପ୍ରାସାଙ୍ଗିକ କଥା କହୁଛନ୍ତି। ସତ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଧୈର୍ଯ୍ୟ ନାହିଁ। ରାଜ୍ୟରେ ଭାଷା, ସଂସ୍କୃତିକୁ ଅନାଦର କରାଯାଉଛି। ଓଡ଼ିଶୀକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରଦାନ କରିବାର ସରକାରଙ୍କର କୌଣସି ବ୍ୟବସ୍ଥା ନାହି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ନାହାନ୍ତି। ଓଡ଼ିଶାରେ ୟୁଜିସି ତରଫରୁ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକକୁ ଓଡ଼ିଆରେ ପ୍ରକାଶ କରାଯାଇଛି। ମୋଦୀ ସରକାର ଓଡ଼ିଆମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି। ୪୯ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଛନ୍ତି। କେବଳ ରଙ୍ଗବତୀ ଗୀତ ଲାଗି ତିନିଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ।





