ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା । ଯେଉଁଥିରେ ୪ଟି ରାଜ୍ୟରେ ବିଜେପି ଜିତିଥିବାବେଳେ ଗୋଟିଏରେ ଆପ ଜିତିଥିଲା । ସେପଟେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ଏହା ମଧ୍ୟରେ ବିଧାନସଭା ନିର୍ବାଚନରେ ମାଟି କାମୁଡିଥିବା କଂଗ୍ରେସକୁ ଏବେ ରାଜ୍ୟସଭାରେ ମଧ୍ୟ ବଡ଼ ଝଟକା ଲାଗିବାକୁ ଯାଉଛି। କଂଗ୍ରେସ ହାତରୁ ବିରୋଧୀ ଦଳ ନେତାର ମାନ୍ୟତା ମଧ୍ୟ ଯାଇପାରେ । ଚଳିତ ବର୍ଷ ରାଜ୍ୟସଭା ପାଇଁ ଦ୍ୱିବାର୍ଷିକ ନିର୍ବାଚନ ହେବ। କଂଗ୍ରେସ ସଦସ୍ୟଙ୍କ ସଂଖ୍ୟାରେ ଐତିହାସିକ ହ୍ରାସ ଦେଖିବାକୁ ମିଳିପାରେ। ବିରୋଧୀ ଦଳ ନେତାର ମାନ୍ୟତା ହାସଲ ପାଇଁ ଆବଶ୍ୟକୀୟ ସଂଖ୍ୟାର ଅତି ନିକଟରେ ପହଞ୍ଚିପାରେ। ଯଦି ଦଳ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଗୁଜରାତ ନିର୍ବାଚନ ଏବଂ ଆସନ୍ତାବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ଅସମର୍ଥ ରୁହେ ତେବେ ରାଜ୍ୟସଭାର ପରବର୍ତ୍ତି ଦ୍ୱିବାର୍ଷିକ ନିର୍ବାଚନରେ ବିରୋଧୀ ଦଳ ନେତାର ମାନ୍ୟତା ମଧ୍ୟ ହରାଇବ।
ବର୍ତ୍ତମାନ ରାଜ୍ୟସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୩୪ । ଚଳିତ ବର୍ଷ ୭ଟି ଆସନ ହାରିବାର ସମ୍ଭାବନା ରହିଛି । ନିୟମ ଅନୁସାରେ ବିରୋଧୀ ଦଳ ଆସନ ପାଇଁ ଗୋଟିଏ ଦଳ ପାଖରେ ଗୃହର ମୋଟ ଆସନର ୧୦ ପ୍ରତିଶତ ରହିବା ଜରୁରୀ। ରାଜ୍ୟସଭାରେ ଏହି ସଂଖ୍ୟା ୨୫ । ଲୋକସଭାରେ କଂଗ୍ରେସ ନିକଟରେ ବିରୋଧୀ ଦଳ ନେତାର ମାନ୍ୟତା ନାହିଁ। ନିର୍ବାଚନ ଆୟୋଗ ନିକଟରେ ରାଜ୍ୟସଭାରେ ୧୩ଟି ଖାଲି ହେବାକୁ ଥିବା ପଦ ପାଇଁ ନିର୍ବାଚନ ଘୋଷଣା କରିଥିଲେ। ଏଥିରୁ ୫ଟି ଆସନ ପଞ୍ଜାବ ଏବଂ ଆଠଟି ଆସନ ହିମାଚଳ ପ୍ରଦେଶ, ଆସାମ, କେରଳ, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରାରୁ ରହିଛି । ପଞ୍ଜାବରୁ ଆସନ୍ତା ମାସରେ ଅବସର ନେବାକୁ ଥିବା ସଦସ୍ୟଙ୍କ ମଧ୍ୟରେ ଦୁଇ ଜଣ କଂଗ୍ରେସରୁ ରହିଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ରାଜ୍ୟସଭାରେ ଆପର ସଦସ୍ୟ ସଂଖ୍ୟା ବଢିପାରେ।





