କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା, ଜୁନ୍ ୩ରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୩୦/୦୬ (ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ। ଏନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆସନ୍ତା ମାସ ୩ ତାରିଖରେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଧ୍ୟକ୍ଷତା କରିବେ । ବୈଠକ ପ୍ରଗତି ମଇଦାନସ୍ଥିତ ନବନିର୍ମିତ କନ୍‌ଭେନ୍‌ସନ ସେଣ୍ଟରରେ ଅନୁଷ୍ଠିତ ହୋଇପାରେ । ଏଠାରେ ଚଳିତବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ବି ଅନୁଷ୍ଠିତ ହେବ ।

ମନ୍ତ୍ରୀ ପରିଷଦ ବୈଠକ ପୂର୍ବରୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଦଳର କେତେକ ବରିଷ୍ଠ ନେତାଙ୍କ ସହ ବୈଠକ କରି ବ୍ୟାପକ ଚର୍ଚ୍ଚା କରିଥିଲେ । ବୈଠକରେ ନଡ୍ଡାଙ୍କ ଉପସ୍ଥିତିକୁ ଦେଖି କିଛି ରାଜନୈତିକ ବିଶ୍ଳେଷକ ଆକଳନ କରିଛନ୍ତି ଯେ ଉଭୟ କ୍ୟାବିନେଟ୍‌ ଏବଂ ବିଜେପି ସଂଗଠନରେ କେତେକ ପରିବର୍ତ୍ତନ ଆସିପାରେ । ଚଳିତବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପିର ପ୍ରଦେଶ ସଂଗଠନରେ ପରିବର୍ତ୍ତନ ଆସିପାରେ । ଚଳିତବର୍ଷ ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତେଲଙ୍ଗାନା ଏବଂ ମିଜୋରାମରେ ନିର୍ବାଚନ ହେବ । ତା’ଛଡ଼ା ୨୦୨୪ ଲୋକସଭା ନିର୍ବାଚନକୁ ମଧ୍ୟ ଦୃଷ୍ଟିରେ ରଖିଛି ଶାସକ ଦଳ ।

ଏହାବ୍ୟତୀତ ଗତ ୫ ଦିନ ହେଲା ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ, ବିଜେପି ଅଧ୍ୟକ୍ଷ ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ (ସଂଗଠନ) ବି ଏଲ୍‌ ସନ୍ତୋଷ ବିଭିନ୍ନ ପର୍ଯ୍ୟାୟ ବୈଠକ କରିଛନ୍ତି । ସଂଗଠନ ଏବଂ ରାଜନୈତିକ ପ୍ରସଙ୍ଗରେ ସେମାନେ ବ୍ୟାପକ ଆଲୋଚନା କରିଥିଲେ । ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ହେବାକୁ ଥିବାବେଳେ ତା’ ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଦୁଇବର୍ଷ ହେଲା ମୋଦି କ୍ୟାବିନେଟ୍‌ରେ ସେମିତି ବଡ଼ଧରଣର ଅଦଳବଦଳ ହୋଇନାହିଁ । ତେଣୁ ଜୁଲାଇ ୩ ତାରିଖ ବୈଠକରେ କିଛି ବଡ଼ ଘୋଷଣା ହୋଇପାରେ । ଗଲା ମେ ମାସରେ ମୋଦି ସରକାର କିରେନ୍‌ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇ ତାଙ୍କ ସ୍ଥାନରେ ଅର୍ଜୁନ ମେଘୱାଲଙ୍କୁ ଦାୟିତ୍ୱ ଦେଇଥିଲେ । ୨୦୨୧ ଜୁଲାଇରେ ମୋଦି କ୍ୟାବିନେଟ୍‌ରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ୧୨ ଜଣ ମନ୍ତ୍ରୀ ହଟିଥିଲା ବେଳେ ୧୭ ନୂଆ ମନ୍ତ୍ରୀ ଶପଥ ନେଇଥିଲେ ।

ଦଳର କେତେକ ବରିଷ୍ଠ ନେତାଙ୍କୁ ବିଭିନ୍ନ ରାଜ୍ୟର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଇଛି । ସେହିଭଳି କର୍ଣ୍ଣାଟକ ଓ ଗୁଜରାଟ ସମେତ ୩ଟି ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇପାରେ । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ବିଜେପିର ଏହି ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି ।

Related Posts