ଭୁବନେଶ୍ୱର/କଟକ: ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବେ ମୂଳୋଚ୍ଛେଦ କରିବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ଥିବା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସେ କହିଛନ୍ତି, ଆଗାମୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର କାମ କରୁଛି ଏବଂ ଏହି ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ଅନ୍ୟାନ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ବିଶେଷ ହେଲିକପ୍ଟର ଯୋଗେ କଟକ ମୁଣ୍ଡଳି ପହଞ୍ଚି CISFର ୫୭ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଇଥିଲେ।ଏହି ଅବସରରେ ଶାହ କହିଥିଲେ, ଦେଶରେ ନକ୍ସଲବାଦ ଏବେ ଶେଷ ନିଶ୍ୱାସ ନେଉଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଅନ୍ତ ହେବ। ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ଚାଲୁଥିବା ଅଭିଯାନରେ ସୁରକ୍ଷାବଳ ବଡ଼ ସଫଳତା ହାସଲ କରିଛନ୍ତି ବୋଲି ସେ କହିଥିଲେ।ସେ ଆହୁରି କହିଥିଲେ, ଦେଶର ସୁରକ୍ଷାରେ CISF ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ବନ୍ଦର, ବିମାନବନ୍ଦର ଓ ଅନ୍ୟାନ୍ୟ ରଣନୀତିକ ସଂସ୍ଥାନର ସୁରକ୍ଷାରେ CISF ଯବାନମାନେ ବୀରତା ଓ ତ୍ୟାଗର ଉଦାହରଣ ସୃଷ୍ଟି କରିଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ସେମାନେ ଦେଶର ସୁରକ୍ଷା ପାଇଁ କର୍ତ୍ତବ୍ୟ ପାଳନ କରୁଛନ୍ତି ବୋଲି ଶାହ ପ୍ରଶଂସା କରିଥିଲେ।ନକ୍ସଲମୁକ୍ତ ଭାରତ ଗଠନ ପାଇଁ ସୁରକ୍ଷାବଳଙ୍କ ଏହି ଅବଦାନ ଐତିହାସିକ ବୋଲି ସେ କହିଥିଲେ।





