ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): କେରଳର କୋଚିରେ ଆରମ୍ଭ ହୋଇଛି ଦେଶର ପ୍ରଥମ ୱାଟର ମେଟ୍ରୋ। ଏହାକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିଛି।
ମଙ୍ଗଳବାର ଦୁଇଦିନିଆ କେରଳ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପ୍ରଥମେ ତିରୁଅନନ୍ତପୁରମରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ କରିବା ପରେ କୋଚି ଯାଇ ୱାଟର ମେଟ୍ରୋର ଉଦଘାଟନ କରିଛନ୍ତି। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଓ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଯୋଗ ଦେଇଥିଲେ।
କେରଳ ୱାଟର ମେଟ୍ରୋରେ ୭୮ଟି ଇଲେକ୍ଟ୍ରିକ ବୋଟ୍ ଏବଂ ୩୮ଟି ଟର୍ମିନାଲ ରହିଛି। କେରଳ ସରକାର ଏବଂ ଜର୍ମାନୀର କେଏଫ୍ଡବ୍ଲ୍ୟୁ ନାମକ ସଂସ୍ଥା ମିଳିତ ଭାବେ ଉକ୍ତ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ହାଇକୋର୍ଟ-ଭାଇପିନ ଟର୍ମିନାଲରୁ ଭାଇଟିଲା-କକ୍କାନାଡ଼ ଟର୍ମିନାଲ ମଧ୍ୟରେ ୱାଟର ମେଟ୍ରୋ ଚଳାଚଳ କରିବ। ଶୀତତାପ ନିୟନ୍ତ୍ରିତ ବୋଟ୍ରେ ମେଟ୍ରୋ ଯାତ୍ରା ଆରାମଦାୟକ ଏବଂ ସୁଲଭ ରହିବ। ଏଥିସହିତ ଟ୍ରାଫିକରେ ନଫସି ଲୋକମାନେ ଗନ୍ତବ୍ୟସ୍ଥଳରେ ସହଜରେ ପହଞ୍ଚି ପାରିବେ।
ଉକ୍ତ ପ୍ରକଳ୍ପ ଦ୍ବାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି। ପାରମ୍ପରିକ ମେଟ୍ରୋ ଭଳି ଏଥିରେ ଯାତ୍ରା ସୁବିଧା ମିଳିବ। ଲୋକମାନେ ଯାତ୍ରାର ଭଲ ଅନୁଭୂତି ପାଇବେ।





