‘ବିରୋଧୀଙ୍କୁ ଚୁପ୍ କରିଦେଲେ ଦେଶର ସମସ୍ୟା ସମାଧାନ ହେବନାହିଁ’; ମୋଦି ସରକାରଙ୍କ ଉପରେ ବର୍ଷିଲେ ସୋନିଆ

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ବିରୋଧୀଙ୍କ ମୁହଁ ବନ୍ଦ୍ କରିଦେଲେ ଦେଶର ସମସ୍ୟା ସମାଧାନ ହେବ ନାହିଁ। କିଛି ଏଭଳି କହି କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ପ୍ରଥମ ଥର ପାଇଁ ମୁହିଁ ଖୋଲିଛନ୍ତି ସୋନିଆ । ଇଂରାଜୀ ଖବର କାଗଜ ଦି ହିନ୍ଦୁରେ ସଂପାଦକୀୟ ଲେଖି କେନ୍ଦ୍ର ସରକାରଙ୍କ ଉପରେ ସେ ବର୍ଷିଛନ୍ତି ।

ସୋନିଆ କହିଛନ୍ତି, “ମୋଦି ସରକାର କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରୁଛନ୍ତି । ସଂସଦରେ ବିରୋଧୀଙ୍କ ସ୍ବରକୁ ଚାପି ଦିଆ ଯାଉଛି, ମିଡିଆ ଉପରେ ଚାପ ପକାଯାଉଛି, ନ୍ୟାୟପାଳିକାର ବିଶ୍ବସନୀୟତାକୁ ଦୁର୍ବଳ କରିବାକୁ ପ୍ରୟାସ କରାଯାଉଛି । ବେକାରୀ, ମୁଦ୍ରାସ୍ଫୀତି, ସାମାଜିକ ବିଭାଜନ, ବଜେଟ୍ ଏବଂ ଆଦାନୀ ଭଳି ପ୍ରସଙ୍ଗ ସଂସଦରେ ଉଠାଇବାକୁ ବିରୋଧୀଙ୍କୁ ରୋକାଜାଉଛି।ବିରୋଧୀଙ୍କ ସ୍ୱର ଚାପି ଦେବାକୁ ସଂସଦ ରୁ ଭାଷଣକୁ ହଟାଇବା, ଆଲୋଚନା ବନ୍ଦ କରିବା, ସାଂସଦ ମାନଂକୁ ଆକ୍ରମଣ କରିବା ଏବଂ ଶେଷରେ କଂଗ୍ରେସ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ଭଳି ପଦକ୍ଷେପ କେନ୍ଦ୍ର ସରକାର ନେଇଛନ୍ତି । ତେବେ ଜବରଦସ୍ତ ଚୁପ କରି ଦିଆଗଲେ ଦେଶ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସୋନିଆ କହିଛନ୍ତି।

ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଚାଷୀ ପ୍ରସଙ୍ଗରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ । ଲକ୍ଷଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ସରକାର ଚୁପ୍‌ ରହିଛି । ଅର୍ଥମନ୍ତ୍ରୀ ବଜେଟ ଭାଷଣରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା କରୁ ନାହାନ୍ତି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଦେଇଥିବା ପ୍ରତିଶ୍ରୁତିରେ ବିଫଳ ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି ବୋଲି ସୋନିଆ କହିଛନ୍ତି ।

ସେପଟେ ସୋନିଆ ଗାନ୍ଧୀଙ୍କ ଏଭଳି ଆଲେଖ୍ୟ ଉପରେ ପ୍ରତିକ୍ରିୟା ରଖି ତାଙ୍କୁ କଡା ଜବାବ୍ ଦେଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ। ଦେଶର ଗଣତନ୍ତ୍ରକୁ କେବଳ ୧୯୭୫ ମସିହାରେ ଥରୁଟିଏ ହତ୍ୟା କରାଯାଇଥିଲା ବୋଲି କହି ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଯଦି କିଛି ପ୍ରଶ୍ନ କରିବାର ଅଛି ତାହେଲେ ନିର୍ବାଚିତ ସରକାରଙ୍କୁ ପଚାରନ୍ତୁ, ମାତ୍ର ଦେଶର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାର ନାହିଁ କହିବା ସହିତ ସୋନିଆ ଗାନ୍ଧୀ ଗଣତନ୍ତ୍ର ବିଷୟରେ ଦେଇଥିବା ବୟାନ ଭ୍ରମାତ୍ମକ ବୋଲି ରିଜିଜୁ କହିଛନ୍ତି।

Related Posts