ଆସିଲା କୋର୍ଟଙ୍କ ରାୟ: ପାଗଳ ନୁହେଁ ଗୋପାଳ ଦାସ

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ମାସେ ରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ହତ୍ୟାର କାରଣ ଉପରୁ ପରଦା ହଟିନାହିଁ। ସେପଟେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଜଣେ ମାନସିକ ରୋଗୀ ବୋଲି ଗୋପାଳଙ୍କ ପତ୍ନୀ ଓ ଡାକ୍ତରଙ୍କ ମନ୍ତବ୍ୟ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ସେଇ ଦିଗରେ ଗତି କରୁଛି । ଏସବୁ ଭିତରେ ଗୋପାଳର ମାନସିକ ସ୍ଥିତିକୁ ନେଇ ଆସିଛି ଏକ ବଡ଼ ତଥ୍ୟ। ଗୋପାଳ ପାଗଳ ନୁହେଁ ବୋଲି ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଝାରସୁଗଡ଼ା ଅତିରିକ୍ତ ଜିଲ୍ଲା କୋର୍ଟ। ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ (ନିମ୍‌ହାନ୍ସ)କୁ ୩ ସପ୍ତାହ ପାଇଁ ନେବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଖାରଜ କରି ନିଜ ରାୟରେ ଏହା ସ୍ପଷ୍ଟ କରିଛନ୍ତି କୋର୍ଟ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗଠନ ହୋଇଥିବା ୪ ଜଣିଆ ମେଡିକାଲ ବୋର୍ଡ ଅଭିଯୁକ୍ତ ଗୋପାଳର ମନସ୍ତତ୍ତ୍ୱ ପରୀକ୍ଷଣ କରିଥିଲେ। ଫେବୃଆରୀ ୫ ତାରିଖରେ ଏହି ପରୀକ୍ଷଣ ରିପୋର୍ଟ ଡିଏମ୍‌ଇଟି କୋର୍ଟରେ ଦାଖଲ କରିଥିଲେ। ମେଡିକାଲ ବୋର୍ଡର ଟେଷ୍ଟ ରିପୋର୍ଟ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି। ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି।

ଟେଷ୍ଟ ରିପୋର୍ଟ ଅନୁସାରେ, ଗୋପଳ ଜଣେ ସଚେତ (ସବୁ ଜାଣିପାରୁଥିବା) ଲୋକ । ଏପରିକି ଗୋପାଳ ସତର୍କ, ସହଯୋଗୀ ଏବଂ ମିଳାମିଶା ପାଇଁ ଆଗ୍ରହୀ । ଆଖିକୁ ଆଖି ମିଶାଇ କଥା ହେଉଛି ଗୋପାଳ । ସ୍ଥିତି ଅନୁସାରେ ତାର ମନ ପରିବର୍ତ୍ତନ ହେଉଛି । ତାର ଲକ୍ଷ୍ୟ ସ୍ଥିର ଥିବାବେଳେ ଆବଶ୍ୟକତା ଅନୁସାରେ କଥା ହେଉଛି । ଆଚରଣରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉନଥିଲା। ତା’ଠାରେ ବିଚଳିତ ହେବାର ଲକ୍ଷଣ ନାହିଁ । ସ୍ମୃତି ଶକ୍ତି ଭଲ ଅଛି ଏହିସବୁ ଦୃଷ୍ଟିରୁ ମେଡିକାଲ୍ ବୋର୍ଡ କେଉଁଠି ବି ଅଭିଯୁକ୍ତର କୌଣସି ମାନସିକ ରୋଗରେ ପୀଡ଼ିତ ବୋଲି ଠାବ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତିର ପୁନଃଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିଲା। ତେବେ ଏହି ଆବେଦନକୁ ଗତ ୩ ତାରିଖରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ଖାରଜ କରି ଦେଇଥିଲେ। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ କ୍ରାଇମ୍‌ବ୍ରାଞ୍ଚ ଆବେଦନ ଖାରଜ ପରେ ଏହି ମାମଲା ପୁନଶ୍ଚ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହୋଇଥିଲା।

ଗୋପାଳର ମାନସିକ ଅବସ୍ଥାର ପୁନଃ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ (ନିମ୍‌ହାନ୍ସ)କୁ ନେବାକୁ ଚାହୁଁଥିଲା। ନିମ୍‌ହାନ୍ସରେ ତାଙ୍କୁ ୩ ସପ୍ତାହ ରଖିବାକୁ ପଡ଼ିବ ବୋଲି ଆବେଦନରେ କୁହାଯାଇଥିଲା। ତେବେ ଦୁଇଟି କୋର୍ଟରୁ ଝଟକା ଖାଇବା ପରେ କ୍ରାଇମ୍‌ବ୍ରାଞ୍ଚ ଆଉ ଉପରିସ୍ଥ କୋର୍ଟକୁ ଯାଇ ନ ଥିଲା। ତେଣେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ଗତ ତାରିଖରେ ପ୍ରକାଶ ପାଇଥିବା ଏହି ରାୟ ସାମ୍ନାକୁ ଆସିବା ପରେ ଏବେ ବିରୋଧୀ ପୁଣି କ୍ରାଇମବ୍ରାଞ୍ଚ୍ ତଦନ୍ତ ନେଇ ପ୍ରଶ୍ନ ଉଠାଇଥିବାବେଳେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

Related Posts