ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ନିକଟରେ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକ ମୃତ୍ୟୁବରଣ କରିଥିଲେ। ତେବେ ଏହି ମଦ ମୃତ୍ୟୁ ଘଟଣା ସାରା ଦେଶରେ ହଇଚଇ ସୃଷ୍ଚି କରିଥିବାବେଳେ ଏନେଇ ବିହାର ସରକାରଙ୍କୁ ଜୋରଦାର ଘେରିଥିଲେ ବିରୋଧୀ। ଏହାରି ଭିତରେ ନକଲି ମଦ ବନାଉଥିବା ମାଷ୍ଟରମାଇଣ୍ଡ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମାଷ୍ଟରମାଇଣ୍ଡକୁ କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ଗିରଫ କରିଛି।ମାଷ୍ଟରମାଇଣ୍ଡର ନାଁ ରାମ ବାବୁ ବୋଲି କୁହାଯାଉଛି। ଏନେଇ ଦିଲ୍ଲୀ ପୁଲିସ ବିହାର ପୁଲିସକୁ ସୂଚନା ଦେଇଛି।
ଏହି ଅଭିଯୁକ୍ତ ଜଣଙ୍କ ମଦରେ କେମିକାଲ ପକାଇ ମଦ ପ୍ରସ୍ତୁତ କରୁଥିଲା। ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ବିହାର ବିଷାକ୍ତ ମଦ ମୃତ୍ୟୁ କାଣ୍ଡର ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି। ନିକଟରେ ବିହାର ଛପରା, ସୀବାନ ଓ କିଛି ସ୍ଥାନରେ ବିଷାକ୍ତ ମଦ ପିଇ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ଅନ୍ୟପଟେ ମୃତକଙ୍କ ପରିବାରକୁ କୌଣସି ସହାୟତା ରାଶି ମିଳିବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ କହିଥିଲେ ।
କ୍ରାଇମବ୍ରାଞ୍ଚର ସ୍ପେସାଲ ସିପି ରବିନ୍ଦ୍ର ଯାଦବଙ୍କ ଅନୁସାରେ, କ୍ରାଇମବ୍ରାଞ୍ଚର ଇଣ୍ଟର ଷ୍ଟେଟ ସେଲକୁ ସୂଚନା ମିଳିଥିଲା ଯେ ଏହି ବିଷାକ୍ତ ମଦ କାଣ୍ଡର ମାଷ୍ଟରମାଇଣ୍ଡ ରାମବାବୁ ମହତୋ ଦିଲ୍ଲୀରେ ଲୁଚିଛି। ଏହାପରେ ପୁଲିସ ଟେକ୍ନିକାଲ ସର୍ବିଲାନ୍ସ ମାଧ୍ୟମରେ ଅଭିଯୁକ୍ତକୁ ଦ୍ୱାରକାରୁ ଗରିଫ କରିଛି।
ପୁଲିସର ସୂଚନା ଅନୁସାରେ, ରାମବାବୁ ମହତୋ ବିହାର ସାରଣରେ ରହୁଥିଲା। ତାର ୪ ଭାଇ ଓ ୨ ଭଉଣୀ ରହିଛନ୍ତି। ସେ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ିଛି। ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେ ଏହି ମଦ ପ୍ରସ୍ତୁତ କରୁଥିବା କହିଥିଲା ଏଥିପାଇଁ ବିହାରରେ ମଦ ବ୍ୟାନ ପରେ କମ ସମୟରେ ଅଧିକ ପଇସା କମାଇବା ପାଇଁ ମଦ ପ୍ରସ୍ତୁତ କରିବା ସହ ବିକ୍ରି ଆରମ୍ଭ କରିଥିଲା। ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ଏପରି ୭ ଟି ମାମଲା ରଜୁ ହୋଇଛି। ରାମବାବୁ ମହତୋକୁ ଗିରଫ କରାଯାଇଥିବା ନେଇ ବିହାର ପୁଲିସକୁ ସୂଚନା ଦେଇଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ।





