ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର କୁନା ଜାତୀୟ ଉଦ୍ୟାନରେ ଚିତାବାଘ ମୃତ୍ୟୁ ଥମିବାର ନାଁ ନେଉନାହିଁ । ଶୁକ୍ରବାର ଶିଓପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ଏହି ଚିତାର ନାମ ଥିଲା ସୁରଜ । କୁନୋ ଜାତୀୟ ଉଦ୍ୟାନରେ ସୁରଜର ମୃତଦେହ ମିଳିଥିଲା। ଏହି ଘଟଣା ପରେ ବନ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ପ୍ରକାଶ ପାଇଛି । ତେବେ ସୁରଜର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ |
ତେବେ ଦୁଇ ଦିନ ତଳେ ତେଜସ ନାମକ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଥିଲା। ଅତୀତରେ ତେଜସ ଓ ସୁରଜ ମଧ୍ୟରେ ଲଢେଇ ହୋଇଥିଲା। ଏହି ଲଢ଼େଇରେ ତେଜସ ବେକରେ ଗଭୀର ଆଘାତ ଲାଗିବାରୁ ତାର ମୃତ୍ୟୁ ଘଟିଥିଲା। ଏହି ସଂଘର୍ଷରେ ସୁରଜ ମଧ୍ୟ ଗୁରୁତର ଆହତ ହୋଇଥିଲା । ଏହି ଆଘାତ ଯୋଗୁଁ ସୁରଜର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ଏହି ଦୁଇ ଚିତାବାଘଙ୍କ ମୃତ୍ୟୁକୁ ନେଇ ବନବିଭାଗ ଚିନ୍ତାରେ ଥିବାବେଳେ ଅଗ୍ନି ନାମକ ଆଉ ଏକ ଚିତାବାଘ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ କିଡ୍ନୀ ରୋଗ ଯୋଗୁ ଗତ ମାର୍ଚ୍ଚ ୧୭ରେ ମାଈ ଚିତା ‘ସାସା’ର ମୃତ୍ୟୁ ଘଟିଥିଲା । ସେହିଭଳି ଏପ୍ରିଲ ୨୩ରେ ଅଣ୍ଡିରା ଚିତା ଉଦୟ ଏବଂ ମେ ୯ରେ ମାଈ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା । ମେ ୨୫ରେ ପ୍ରବଳ ଗରମ ଯୋଗୁ ୨ଟି ଚିତା ଶାବକ ପ୍ରାଣ ହରାଇଥିଲେ । ଏହା ପରେ ପରେ ଅନ୍ୟ ଏକ ଶାବକ ପ୍ରାଣ ହରାଇଥିଲା । ଭାରତରେ ଚିତାବଂଶ ବୃଦ୍ଧି କରିବା ଲାଗି ଦୁଇଟି ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଓ ନାମ୍ବିଆରୁ ୨୦ଟି ଚିତା ଅଣାଯାଇଥିଲା । ସେଥରୁ ସୁରଜ କୁ ମିଶାଇ ପାଞ୍ଚଟି ଚିତାଙ୍କର ମୃତ୍ୟୁ ହୋଇସାରିଛି । ଆଉ ୧୬ଟି ଚିତା ଅଛନ୍ତି । ସେହିଭଳି ଭାରତରେ ୪ଟି ଶାବକ ମଧ୍ୟ ଜନ୍ମ ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୩ଟି ଶାବକଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଉ ଗୋଟିଏ ମାତ୍ର ଶାବକ ଜୀବିତ ଅଛି । ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ନାମ୍ବିଆରୁ ୮ଟି ଚିତା (୫ ମାଇ ଓ ୩ ଅଣ୍ଡିରା) ଆସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ତାକୁ କୁନୋରେ ଛାଡ଼ିଥିଲେ । ଏହା ପରେ ଚଳିତବର୍ଷ ଫେବ୍ରୁଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା (୭ ଅଣ୍ଡିରା ଓ ୫ ମାଈ) ଅଣାଯାଇଥିଲା ।





