ଭୁବନେଶ୍ୱର,୦୬/୭(ସତ୍ୟପାଠ ବ୍ୟୁରୋ): ‘ରତ୍ନ ଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ଡୁପ୍ଲିକେଟ ଚାବିରେ ଟ୍ରେଜେରୀ ନ ଖୋଲିଲେ ତାଲା ଭଙ୍ଗାଯିବ । ’ ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହାପରେ ଏପରି ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ।
ଆଜି ଜଗନ୍ନାଥ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଜି ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ନିର୍ଦ୍ଧାରିତ ହୋଇ ପାରିନି। ଆସନ୍ତା ୯ ତାରିଖରେ ପୁଣି ଥରେ ବୈଠକ ବସିବ । ଉକ୍ତ ବୈଠକରେ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବ ।
ରତ୍ନ ଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ନେଇ ଆଜି ବୈଠକରେ ସ୍ପଷ୍ଟ ହୋଇଛି । ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ । ଚାବି ନ ଖୋଲିଲେ ଭାଙ୍ଗି ଦିଆଯିବ । ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍ଓପି ପ୍ରସ୍ତୁତ କରାଯିବ । ପ୍ରସ୍ତୁତ ଏସ୍ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍ ରଥ ।
ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବସିଥିଲା । ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ତେବେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ନିର୍ଦ୍ଧାରିତ ହୋଇ ପାରିନି ।
ଅପରପକ୍ଷେ, କମିଟି ଯାହା ନିଷ୍ପତ୍ତି ନେବ ତାହା ସରକାରଙ୍କ ପାଇଁ ଗ୍ରହଣୀୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସୁଛି କମିଟି। ସେମାନେ ଯାହା ନିଷ୍ପତ୍ତି ନେବେ ତାହା ସରକାରଙ୍କ ପାଇଁ ସ୍ୱୀକାର୍ଯ୍ୟ। କମିଟିର ସବୁ ନିଷ୍ପତ୍ତି ଆମେ ପାଳନ କରିବୁ। ରଥ ଯାତ୍ରା ସମୟରେ କିମ୍ବା ତା’ ପରେ ଯେବେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଲେ ତାହାକୁ ଗ୍ରହଣ କରିବୁ। ଯାହା ଚ୍ୟାଲେଞ୍ଜ ଆସିବ ତାହାକୁ ସାମନା କରିବୁ ।





