ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସେବା ବିଲ୍ କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନରେ ପରିଣତ ହୋଇଛି ଦିଲ୍ଲୀ ସର୍ଭିସ୍ ବିଲ୍ । ଭାରତ ସରକାର ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି । ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ଦିଲ୍ଲୀ ସରକାର ସଂଶୋଧନ ଅଧିନିୟମ ୨୦୨୩ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଗଷ୍ଟ ୧ ତାରିଖରେ ସଂସଦରେ ଦିଲ୍ଲୀ ସରକାର ସଂଶୋଧନ ବିଲ୍ ପାରିତ କରିଥିଲେ ।
କେନ୍ଦ୍ର ସରକାର ବିଜ୍ଞପ୍ତିରେ କହିଛନ୍ତି, ଏହି ଅଧିନିୟମକୁ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ଅଧିନିୟମ ୨୦୨୩ ବୋଲି କୁହାଯିବ । ୧୯୯୧ ଧାରା ଦ୍ବିତୀୟ ଖଣ୍ଡ (ଈ)ର କିଛି ଅଂଶକୁ ଏଥିରେ ସାମିଲ୍ କରାଯାଇଛି । ‘ଉପରାଜ୍ୟପାଳ’ ଅର୍ଥ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ପାଇଁ ସମ୍ବିଧାନର ଅନୁଚ୍ଛେଦ ୨୩୯ ଅନୁଯାୟୀ, ନିଯୁକ୍ତ ପ୍ରଶାସକ ଏବଂ ରାଷ୍ଟ୍ରପତିଙ୍କ ଦ୍ବାରା ଉପରାଜ୍ୟପାଳଙ୍କ ନାଁରେ ନାମିତ କରାଯାଇଛି । ବିଧେୟକ ଦ୍ବାରା ପ୍ରସ୍ତାବିତ କରାଯାଇଛି ଯେ, ରାଷ୍ଟ୍ରୀୟ ରାଜଧାନୀରେ ଅଧିକାରୀଙ୍କୁ ନିଲମ୍ବନ ଏବଂ ପଚରାଉଚରା ଭଳି କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ ।





