ବଢୁଛି ବିଜେପି-ଜେଡିୟୁ ମଧ୍ୟରେ ଦୂରତା, ଭାଙ୍ଗିଯିବ କି ବିହାର ସରକାର ?

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କିଛିଦିନ ହେବ ବିହାର ରାଜନୀତିରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଜେଡିୟୁର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ବୈଠକ ଡାକିଛନ୍ତି। ରାଜ୍ୟରେ ଜେଡିୟୁ ଏବଂ ବିଜେପି ମିଳିତ ସରକାରରେ ସବୁ ଠିକ୍ ଚାଲି ନଥିବା ଅନୁମାନ କରାଯାଉଛି। ତେବେ ବିଜେପି ଓ ଜେଡ଼ିୟୁ ମଧ୍ୟରେ ବିବାଦ ଏତେ ବଢ଼ିଯାଇଛି ଯେ ନୀତୀଶଙ୍କ ଦଳ ବିଜେପି ସହ ମେଣ୍ଟ ଭାଙ୍ଗିବ ବୋଲି ସୂଚନା ମିଳୁଛି।

ତେବେ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନୀତିଶ ଚାହୁଁଛନ୍ତି ଯେ ବିଜୟ କୁମାର ସିହ୍ନାଙ୍କୁ ବିହାର ବିଧାନସଭା ବାଚସ୍ପତି ପଦରୁ ହଟାଇବା ପାଇଁ । ସିହ୍ନାଙ୍କୁ ନେଇ ନୀତିଶ ଅନେକ ଥର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଚସ୍ପତି ତାଙ୍କ ସରକାର ବିରୋଧରେ ପ୍ରଶ୍ନ ଉଠାଇ ସମ୍ବିଧାନର ଉଲ୍ଲଂଘନ କରୁଛନ୍ତି ବୋଲି ପୁର୍ବରୁ ନୀତିଶ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ କେବଳ ଜଣେ ଜେଡିୟୁ ସାଂସଦଙ୍କୁ ସ୍ଥାନ ଦିଆଯାଉଥିବାରୁ ମୁଖ୍ୟମନ୍ତ୍ରୀ ନିତୀଶ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେପଟେ ବିହାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ନିତୀଶ ତାଙ୍କ ଦଳର ୮ ଜଣ ନେତାଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିଥିବାବେଳେ ବିଜେପି ପାଇଁ କେବଳ ଗୋଟିଏ ଆସନ ଖାଲି ରହିଥିଲା। ଯାହାକି ବିଜେପି ଉପରେ ନୀତିଶଙ୍କ ଅସନ୍ତୋଷକୁ ସ୍ପଷ୍ଟ କରୁଛି। ଜେଡିୟୁ ମୁଖ୍ୟ ଲଲନ ସିଂହ ମଧ୍ୟ ରାଜ୍ୟ ତଥା କେନ୍ଦ୍ରରେ ଏକକାଳୀନ ନିର୍ବାଚନ କରିବାର ଧାରଣାକୁ ବିରୋଧ କରୁଛନ୍ତି। ଲୋକସଭାରେ ଏକକାଳୀନ ନିର୍ବାଚନ ଏବଂ ବିଭିନ୍ନ ବିଧାନସଭାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଥିଲେ, ଯାହାକୁ ବିରୋଧୀ ଦଳମାନେ ତୀବ୍ର ବିରୋଧ କରିଛନ୍ତି। ଏହା ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ଜେଡିୟୁର ମତ ବିରୋଧୀଦଳଙ୍କ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି।

ସୂଚନା ଥାଉକି ରବିବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ହୋଇଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ। ଏହାକୁ ମିଶାଇ ଜୁଲାଇ ୧୭ ତାରିଖରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ୪ଟି ଗସ୍ତ ବାତିଲ କଲେଣି ନୀତିଶ। ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ନୀତିଶ ବୈଠକରେ ଯୋଗ ଦେଇନଥିଲେ। ଗତ ବର୍ଷ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କାରଣ ନୀତିଶଙ୍କୁ ନଜଣାଇ ଆର୍‌ସିପି ସିଂ ମୋଦୀଙ୍କ କ୍ୟାବିନେଟରେ ଯୋଗଦେଇଥିଲେ। ଯେଉଁଥିପାଇଁ ଏଥର ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ବଢାଇନଥିଲା ଜେଡିୟୁ। ୨୦୨୪ ନିର୍ବାଚନ ପୂର୍ବରୁ ଦଳରୁ ହୁଏତ ଏକାକୀ ଲଢିପାରନ୍ତି ନୀତିଶ।

Related Posts