ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ

 

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଡ୍ରାଇଭର ମହାସଂଘର ଚାଲିଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବି ଶୁଣିଛନ୍ତି। କେନ୍ଦ୍ର ସରକାର ଯେଉଁ ହିଟ ଆଣ୍ଡ ରନ ଆଇନ ଆଣିଛନ୍ତି, ଯାହା ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭର ସଂଘ ସେ ସମ୍ପର୍କରେ ବିସ୍ତୁତ ଭାବେ ସୋମବାର ଆଲୋଚନା କରାଯିବ। ଏବେ କେବଳ ଦୁଇଟି ରାଜ୍ୟରେ ଡ୍ରାଇଭର ସଂଘ ଆନ୍ଦୋଳନ ଜାରିରହିଥିଲା। ତେଣୁ ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଏବେ ସ୍ଥଗିତ ରଖାଯାଇଛି।

 ତେବେ ଆନ୍ଦୋଳନରୁ ଓହରି ନିଜକର୍ଯ୍ୟରେ ଯୋଗଦେବା ପାଇଁ ଡ୍ରାଇଭର ମାନଙ୍କୁ ଆନ୍ଦୋଳନ ସ୍ଥଗିତ ନେଇ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡ୍ରାଇଭର ସଂଘ ଆନ୍ଦୋଳନରୁ ଓହରି ଯାଇଛି। ରାଜ୍ୟ ସରକାରଙ୍କଠାରେ ଥିବା ସେମାନଙ୍କ ଦାବି ପୂରଣ ହୋଇଛି। ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ସଂଘ ସବୁ ଜିଲାକୁ ଜଣାଇଛି। ଶନିବାର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଅଭାବ ଦେଖାଯାଇଥିଲା। ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପାଇଁ ପ୍ରବଳ ଭିଡ଼ ଦେଖାଦେଇଥିଲା। ଲୋକମାନେ ବିକଳରେ ତେଲ କିଣୁଥିବାରୁ ଟାଙ୍କିରେ ମହଜୁଦ ତେଲ ଶେଷ ହୋଇଯିବା ଆଶଙ୍କା ଦେଖାଦେଇଥିଲା।

Related Posts