ଭୁବନେଶ୍ୱର,୧୭/୩(ସତ୍ୟପାଠ ବ୍ୟୁରୋ): ପ୍ରତ୍ୟାହୃତ ହେଲା ଡ୍ରାଇଭର ମହାସଂଘର ଆନ୍ଦୋଳନ । ୩ ଦିନ ହେବ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ସୂଚନା ଦେଇଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ଆନ୍ଦୋଳନ ପ୍ରତ୍ୟାହୃତ ନେଇ ପ୍ରଶାନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ଅସୁବିଧା, ମୁଖ୍ୟ ସଚିବଙ୍କ ନିବେଦନ ଯୋଗୁଁ ଆନ୍ଦୋଳନ ସ୍ଥଗିତ ରଖିଲୁ ।
ସେ କହିଛନ୍ତି, ହକ୍ ଓ ସମ୍ମାନ ପାଇଁ ଡ୍ରାଇଭର ସଂଘ କରିଥିବା ଆନ୍ଦୋଳନ ସଫଳ ହୋଇଛି ।ଜନସାଧାରଣ ମଧ୍ୟ ଆମକୁ ସମର୍ଥକ କରିଛନ୍ତି । ଆମ ପାଇଁ ଲୋକମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି । ଆସନ୍ତା ତିନି ମାସରେ ଦାବି ପୂରଣ ହେବ ବୋଲି ଗତକାଲି ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଥିଲେ । ତେବେ ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ନିଷ୍ପତ୍ତି ନେଇଛୁ । ଆଗାମୀ ତିନି ମାସରେ ଦାବି ପୂରଣ ହେବ ବୋଲି ଆଶା ରହିଛି ବୋଲି ମେନ୍ଦୁଲୀ କହିଛନ୍ତି । ସରକାରଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସବୁ ଡ୍ରାଇଭର ଭାଇଙ୍କୁ ଅନୁରୋଧ ସମସ୍ତେ କର୍ମକ୍ଷେତ୍ରକୁ ଫେରନ୍ତୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନକୁ ଓହ୍ଲାଇଥିଲା । ଏହି ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ । ସେ କହିଥିଲେ, ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।





