ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍କୁ ନେଇ ଲାଗି ରହିଥିବା ବିବାଦରେ ରବିବାର ପୂର୍ଣ୍ଣଛେଦ ପଡ଼ିଛି। ବସିବା ବ୍ୟବସ୍ଥା ଥାଇ ବିଶ୍ବରେ ଆଉ କେଉଁଠି ଏହାଠୁ ବଡ଼ ହକି ଷ୍ଟାଡିୟମ୍ ନାହିଁ ବୋଲି ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)। ଏଫ୍ଆଇଏଚ୍ ସଭାପତି ତୟାବ ଇକ୍ରାମ୍ ରବିବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଓ ଏହାର ଭିତ୍ତିଭୂମିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡ଼ିଶା ସରକାର, ଭାରତ ସରକାର, ଓଡ଼ିଶା ସରକାରଙ୍କ ନେତୃତ୍ବ ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ପ୍ରଥମେ ଅଭିନନ୍ଦନ ଜଣାଉଛି ବୋଲି ନିଜ ମନ୍ତବ୍ୟରେ ତୟାବ ଇକ୍ରାମ୍ କହିଛନ୍ତି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଇକ୍ରାମ କହିଥିଲେ ଯେ, ଚଳିତ ବିଶ୍ବକପ୍ ବୃହତରୁ ବୃହତର ହେବାରେ ଲାଗିଛି। ବିର୍ସା ମୁଣ୍ଡା ଷ୍ଟାଡିୟମ୍, ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଅତ୍ୟାଧୁନିକ ସୁବିଧା, ସର୍ବୋପରି ଏଠାରେ ଦର୍ଶକଙ୍କ ଭିଡ଼ ଓ ଉତ୍ସାହ ଉପଭୋଗ୍ୟ। ଏ ବିଶ୍ବକପ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ମହୋତ୍ସବ ପାଲଟିଛି। ଭାରତ ଖେଳୁନଥିବା ମ୍ୟାଚ୍ରେ ମଧ୍ୟ ଷ୍ଟାଡିୟମରେ ଦର୍ଶକ ଭରିଯାଉଛନ୍ତି। ଏହା ପ୍ରମାଣିତ କରୁଛି ହକି କ’ଣ କରିପାରେ। ବିର୍ସା ମୁଣ୍ଡା ଷ୍ଟାଡିୟମ୍ର ଦର୍ଶକ କ୍ଷମତା ୨୦,୦୦୦ରୁ ବଢ଼ି ୨୧, ୮୦୦ରେ ପହଞ୍ଚିଛି। ବର୍ତ୍ତମାନ ବିଶ୍ୱରେ ବସିବା ବ୍ୟବସ୍ଥାର ଏହାଠୁ ବଡ଼ ହକି ଷ୍ଟାଡିୟମ୍ ଆଉ କେଉଁଠି ନାହିଁ। ବିଗତ ୪ ଦଶନ୍ଧି ହେଲା ମୁଁ କ୍ରୀଡ଼ା ସହ ସଂଶ୍ଲିଷ୍ଟ। କିନ୍ତୁ ଏଭଳି ଭିତ୍ତିଭୂମି କେଉଁଠି ବି ଦେଖିନି। ବିଭିନ୍ନ ଦଳର ପ୍ରଶିକ୍ଷକ, ଖେଳାଳିଙ୍କୁ ଭେଟିଛି, ସେମାନେ ବେଶ୍ ଖୁସି ଅଛନ୍ତି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସୁନ୍ଦରଗଡ଼କୁ ହକିର ଅନ୍ତୁଡ଼ିଶାଳ ବୋଲି କୁହାଯାଏ। ହକି ଏଠାକାର ଲୋକଙ୍କୁ ନୂଆ ଜୀବନ ଦେଇଛି। ରାଜ୍ୟ ସରକାର ହକିକୁ ପ୍ରାଧାନ୍ୟ ଦେଇ ହକିର ବିକାଶରେ ମନୋନିବେଶ କରିବା ପ୍ରଶଂସନୀୟ। ବିଶ୍ବକପ୍ରେ ଦଳ ସଂଖ୍ୟା ବୃଦ୍ଧି କରିବାର କୌଣସି ଯୋଜନା ନାହିଁ। ସର୍ବଶ୍ରେଷ୍ଠ ଦଳ ହିଁ ଏହି ପ୍ରତିଯୋଗିତା ଖେଳିବା ଆବଶ୍ୟକ। କନିଷ୍ଠ ବିଶ୍ବକପ୍ରେ ଏନେଇ ବିଚାର କରାଯାଇପାରେ ବୋଲି ସେ କହିଥିଲେ। ହକି ଇଣ୍ଡିଆ ଲିଗ୍ର ପୂର୍ବ ସଂସ୍କରଣଗୁଡ଼ିକ ବେଶ୍ ପ୍ରଭାବୀ ଓ ସଫଳ ରହିଥିଲା। ପୁନଃ ଆୟୋଜନ ନେଇ ଯଦି ପ୍ରସ୍ତାବ ଆସେ, ତା’ହେଲେ ବିଚାର କରାଯିବ ବୋଲି ସେ କହିଛନ୍ତି।





