ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗ ଗାଡି। ବନ କର୍ମଚାରୀ ଜଙ୍ଗଲ ଭିତରକୁ ନିଆଁ ଲିଭାଇବାକୁ ଯାଇଥିବାବେଳେ ଘଟିଛି ଏ ଅଘଟଣ। ସୁନ୍ଦରଗଡ଼ ବନଖଣ୍ଡ ସଦର ବନାଞ୍ଚଳ ଭବାନୀପୁର ଜଙ୍ଗଲରେ ଘଟିଥିବା ଏ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇବା ପରେ ବନ ବିଭାଗର ଏକ ଟିମ ସେଠାକୁ ଯାଇଥିଲା।
ଜଙ୍ଗଲ ଭିତରେ କୌଣସି ଏକ ସ୍ଥାନରେ ଗାଡି ରଖି ଭିତରକୁ ନିଆଁ ଲିଭାଇବାକୁ ଯାଇଥିଲା ଟିମ୍। ହେଲେ ଏହି ସମୟରେ ଜଙ୍ଗଲ ନିଆଁ ଗାଡିରେ ଲାଗି ଯାଇଥିଲା। କର୍ମଚାରୀ ଜଙ୍ଗଲ ଭିତରୁ ଫେରିଲା ବେଳକୁ ଗାଡି ପୋଡି ଛାରଖାର ହୋଇଯାଇଥିଲା। ଏହା ପରେ ଘଟଣାକୁ ବିଭାଗ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ଯ କୌଣସି ପ୍ରକାରେ କଥା ପଦାକୁ ଆସିଥିଲା।
ତେବେ ବିଭାଗର କେଉଁ କେଉଁ ଅଧିକାରୀ ବା କର୍ମଚାରୀ ନିଆଁ ଲିଭାଇବାକୁ ଯାଇଥିଲେ, ଗାଡି ପାଖରେ କାହିଁକି ଜଣେ ବି କର୍ମଚାରୀ ରହିଲେ ନାହିଁ ଓ ଗାଡିକୁ ଛାଡି ସବୁ କର୍ମଚାରୀ କାହିଁକି ଜଙ୍ଗଲ ଭିତରକୁ ଚାଲିଗଲେ, ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅନ୍ଯପଟେ ଗାଡିଟି ବିଭାଗର ଡ୍ରାଇଭର ନୁହେଁ, ଜଣେ କର୍ମଚାରୀ ଚଳାଇ ନେଇଥିଲେ ଏବଂ ଅନଭିଜ୍ଞତା କାରଣରୁ ଗାଡିକୁ ଛାଡି ଚାଲିଗଲେ ବୋଲି ଚର୍ଚ୍ଚା ହେଉଛି।





